କଂଗ୍ରେସର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର, କେନ୍ଦ୍ର ଓ ରାଜ୍ୟର ବିଫଳତାକୁ କଲା ପ୍ରସଙ୍ଗ


ଭୁବନେଶ୍ୱର(ସତ୍ୟଶିଖା): କରୋନାଜନିତ ଲକଡାଉନ୍ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ଏକ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଂଗ୍ରେସ ନେତା ଓ ସାମ୍ବାଦିକମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ପ୍ରସଙ୍ଗ ଉପରେ ଦୀର୍ଘସମୟ ଧରି ଆଲୋଚନା କରିବା ସହ ସାଧାରଣ ଲୋକଙ୍କୁ ଏ ସମସ୍ତ ବିଷୟକୁ ଅବଗତ କରିବା ନିମନ୍ତେ ଦଳ ପକ୍ଷରୁ ପରାମର୍ଶ ଦିଆଯାଇଛି।
ପିସିସି ପ୍ରଶିକ୍ଷଣ ଇନଚାର୍ଜ ଶୁଭେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦିନିକିଆ ପ୍ରଶିକ୍ଷଣ ଶିବିରକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉଦଘାଟନ କରି କହିଥିଲେ ଯେ, କରୋନା ମୁକାବିଲା ଓ ନିୟନ୍ତ୍ରଣ କରିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ନୀତି ନିଷ୍ପତ୍ତିରେ ଉଭୟ ସରକାର ମଧ୍ୟରେ ତାଳମେଳ ରହୁନାହିଁ। କରୋନା ବିପତ୍ତି ସମୟରେ କେବଳ ସାଧାରଣ ଲୋକଙ୍କୁ ବିଭ୍ରାନ୍ତି କରାଯାଉଛି। ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତିକୁ କଂଗ୍ରେସ ଖୁଲାସା କରିବ। ସାଧାରଣ ଜନତାଙ୍କ ପାଖରେ ରହି କଂଗ୍ରେସ ଲଢ଼େଇ ଜାରି ରଖିଛି ଏବଂ ରଖିବ। କରୋନା ଭୟାବହତା ସମ୍ପର୍କରେ ରାହୁଲ ଗାନ୍ଧି ବହୁ ପୂର୍ବରୁ ସଚେତନ କରାଇଥିଲେ ମଧ୍ୟ ମୋଦି ସରକାର ଏହାକୁ କର୍ଣ୍ଣପାତ ନକରି ଗୁଜୁରାଟରେ ନମସ୍ତେ ଟ୍ରମ୍ପ, ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଭାଙ୍ଗିବା ଓ ଅନ୍ୟ ଦଳୀୟ କାର୍ଯ୍ୟରେ ବ୍ୟସ୍ତ ରହିଲେ। ଆଉ ଯେତେବେଳେ କରୋନା କଥା ଭାବିଲେ ସେତେବେଳେକୁ ସବୁଆଡ଼େ ଏହା ମାଡ଼ିଗଲାଣି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ଆହୁରି ପଢ଼ନ୍ତୁ
ସାମାଜିକ ଦୂରତ୍ୱ ପାଳନ ସହ ମାସ୍କ ଓ ସାନିଟାଇଜର ଉପଯୋଗ କରି ପ୍ରତିନିଧିମାନେ ଏହି ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିରରେ ସାମିଲ ହୋଇଥିଲେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।