

ସତ୍ୟଶିଖା(କୋଲକାତା) ୩୦.୦୯ .୨୦୨୧: ଉପନିର୍ବାଚନରେ ବି ସରଗରମ୍ ପଶ୍ଚିମବଙ୍ଗ । ସାରା ଦେଶର ନଜର ଏବେ ପଶ୍ଚିମବଙ୍ଗର ଭବାନୀପୁର ଆସନ ଉପରେ କାରଣ ଏଠାରେ ଉପନିର୍ବାଚନ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ଯଦି ମମତା ଭବାନୀପୁରର ବିଜୟୀ ହେଉଛନ୍ତି ତେବେ ପୁଣି ୫ ବର୍ଷ ପଶ୍ଚିମବଙ୍ଗ ଅକ୍ତିଆରରେ ରହିବେ ନଚେତ୍ ଦିଦିଙ୍କୁ ହରାଇବାକୁ ପଡିବ ମୁଖ୍ୟମନ୍ତ୍ରୀ ପଦ । କାରଣ ସାଧାରଣରେ ନିର୍ବାଚନରେ ନନ୍ଦିଗ୍ରାମରୁ ଲଢିଥିବା ମମତା ପ୍ରତିଦ୍ବନ୍ଦୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାଜୟ ବରଣ କରିଥିଲେ । ୨୦୦ରୁ ଅଧିକ ଆସନ ପାଇ ଟିଏମସି ସରକାର ଗଠନ କରିଥିଲେ ମଧ୍ୟ ମୁଖିଆଙ୍କ ପରାଜୟକୁ ସହଜରେ ହଜମ କରିପାରିନଥିଲା ।
ତେବେ ସାଧାରଣ ନିର୍ବାଚନ ଅପେକ୍ଷା ଉପନିର୍ବାଚନ ଅଧିକ ଗୁରୁତ୍ବ ବହନ କରୁଛି ମମତାଙ୍କ ପାଇଁ । ସେପଟେ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଟକ୍କର ଦେଉଛନ୍ତି ବିଜେପିର ପ୍ରିୟଙ୍କା ଟିବ୍ରେୱାଲ । ପୂର୍ବ ନିର୍ବାଚନରେ ପଶ୍ଚିମବଙ୍ଗରେ ହିଂସା, ମହିଳାଙ୍କୁ ନିର୍ଯାତନା ଆଦିର ବିନାଶ ପାଇଁ ନିର୍ବାଚନକୁ ଓହ୍ଲାଇଥିବା କହିଛନ୍ତି ପ୍ରିୟଙ୍କା । ରାଜ୍ୟରେ ଶାନ୍ତି ପାଇଁ କାମ କରିବାର ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ମନାଇଛନ୍ତି । ତେବେ ମମତାଙ୍କ ଆସନ ରହୁଛି କି ଯାଉଛି ତାହା ଉପରେ ସମସ୍ତଙ୍କ ନଜର ।
ଅନ୍ୟପଟେ ପଶ୍ଚିମବଙ୍ଗରେ ଭବାନୀପୁର ସମେତ ଅନ୍ୟ ୨ଟି ଆସନ ମୁର୍ସିଦାବାଦ ଜିଲ୍ଲାର ଶମଶରାଗଞ୍ଜ ଏବଂ ଜାଙ୍ଗିପୁର ଆସନରୁ ମଧ୍ୟ ଉପନିର୍ବାଚନ ହେଉଛି ।