ବାଣିଜ୍ୟ

ସେୟାର ବଜାରରେ ଅଭିବୃଦ୍ଧି ସହ ନୂଆ ବର୍ଷକୁ ସ୍ୱାଗତ

ସତ୍ୟଶିଖା (ନୂଆଦିଲ୍ଲୀ) ୦୧/୦୧/୨୦୨୧ : ସବୁଜ ସଙ୍କେତ ସହ ନୂଆ ବର୍ଷକୁ ସ୍ବାଗତ କରିଛି ସେୟାର ବଜାର । ଶୁକ୍ରବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୁଚକାଙ୍କ ଅନୁଯାୟୀ ସେନସେକ୍ସ ୩୪ ଅଙ୍କ ବୃଦ୍ଧି ପାଇ ୪୭,୭୮୫ରେ ଖୋଲିଥିଲା । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୫ ଅଙ୍କ ବୃଦ୍ଧି ପାଇ ୧୩,୯୯୬.୧୦ରେ ଖୋଲିଥିଲା । ଶୁକ୍ରବାର ନିଫ୍ଟି ୧୪ ହଜାର ଅଙ୍କ ପାର କରିଛି ଯାହାକି ଇତିହାସରେ ସର୍ବକାଳୀନ ରେକର୍ଡ । କାରବାର ସମୟରେ ସେନସେକ୍ସ ୪୭,୯୪୬.୬୬ ଯାଏଁ ଛୁଇଁଥିଲା । ସେହିପରି ନିଫ୍ଟି ମଧ୍ୟ ପ୍ରଥମ ଥର ପାଇଁ ୧୪,୦୩୩.୮୫ ଛୁଇଁଥିଲା । କାରବାର ଆରମ୍ଭରୁ ନିଫ୍ଟିର ପ୍ରାୟ ୯୦୩ ସେୟାରରେ ବୃଦ୍ଧି ଏବଂ ୨୪୯ଟି ସେୟାରରେ ହ୍ରାସ ଘଟିଛି ।ଏଣ୍ଟୋନି ବେଷ୍ଟ ହେଣ୍ଡଲିଙ୍ଗ୍ ସେଲର ସେୟାର ବଜାରରେ ଲିଷ୍ଟିଂ ହୋଇଛି । ସେୟାର ବଜାରରେ ଏହି ଆଇପିଓ ପ୍ରାୟ ୩୦୦ କୋଟି ଟଙ୍କା ନିବେଶ କରିଛି । ଏହା ପୂର୍ବରୁ ଗୁରୁବାର ସେନସେକ୍ସ ୧୦୬ ଅଙ୍କ ଖସି ୪୭୬୩୯ରେ ଖୋଲିଥିଲା । ଯେତେବେଳେକି ନିଫ୍ଟି ୩୧ ଅଙ୍କ ଖସି ୧୩୯୫୦ରେ ଖୋଲିଥିଲା । ଏହା ପରେ ସେୟାର ବଜାର ବନ୍ଦ ହେବା ବେଳକୁ ସେନସେକ୍ସ ୫ ଅଙ୍କ ବୃଦ୍ଧି ସହ ୪୭,୭୫୧ ଏବଂ ନିଫ୍ଟି ୦.୨୦ ଅଙ୍କ ବୃଦ୍ଧି ପାଇ ୧୩,୯୮୧.୭୫ରେ ବନ୍ଦ ହୋଇଥିଲା ।

ସେୟାର ବଜାର ପାଇଁ ବର୍ଷ ୨୦୨୦ ଉତ୍ଥାନ- ପତନ ଭରା ଥିଲା । ଜାନୁୟାରୀ ୨୦୨୦ରେ ସେୟାର ବଜାର ରେକର୍ଡ ସୃଷ୍ଟି କରିଥିଲା । ଏହା ବାଦ କରୋନା ମହାମାରୀ କାରଣରୁ ସେୟାର ବଜାର ପ୍ରାୟ ୪୦ ପ୍ରତିଶତ ପର୍ଯ୍ୟନ୍ତ ଖସିଆସିଥିଲା । ନିଫ୍ଟି ୨୩ ମାର୍ଚ୍ଚ ୨୦୨୦ରେ ତାର ସର୍ବନିମ୍ନ ସ୍ତର ୭୬୦୦କୁ ଖସିଆସିଥିଲା । ଏହା ପରେ ବର୍ଷର ଶେଷ ଭାଗରେ ସେୟାର ବଜାରରେ ବ୍ୟାପକ ବୃଦ୍ଧି ଦେଖିବାକୁ ମିଳିଥିଲା । ରେକର୍ଡ ସୃଷ୍ଟି କରିବା ସହ ପ୍ରତିଦିନ ଉଚ୍ଚତ୍ତମ ସ୍ତରକୁ ଉଠିଥିଲା ସେୟାର ବଜାର ।

Show More
Back to top button