ଚାଲି ଚାଲି ଯାଉଥିଲେ ପଶ୍ଚିମବଙ୍ଗ, ଉଦ୍ଧାର କଲା ପୁଲିସ୍


ରାଉରକେଲା(ସତ୍ୟାନନ୍ଦ ମହାନ୍ତି): କରୋନା ମହାମାରୀ ଭୟକୁ ବଳି ଯାଉଛି ଭୋକର ଜ୍ୱଳା। କରୋନା ରୋକିବାକୁ ସରକାର ଲକ୍ଡାଉନ୍ ବଢ଼ାଇ ଚାଲିଥିବା ବେଳେ କାମ ନ ପାଇ ବହୁ ଲୋକ ହାତ ଟେକି ବସିଛନ୍ତି। ଏପରି ସ୍ଥିତିରେ ଘର ମୁହାଁ ଶ୍ରମିକ ବିପଦଜ୍ଜନକ ଭାବେ ମାଇଲ ମାଇଲ ବାଟ ଚାଲିବାକୁ ପଛାଉ ନାହିଁ। ପେଟରେ ଦାନା ନ ଥିବା ବେଳେ ପାଦ ଆଗକୁ ବଢ଼ାଇବାକୁ ବଳ ଜୁଟାଇ ପାରୁ ନ ଥିବା ଦାଦନ ବହୁ ସମୟରେ ବାଟ ସରିବା ଆଗରୁ ଆଖି ବୁଜି ଦେଉଛି। କେତେବେଳେ ମର୍ମନ୍ତୁଦ ଦୁର୍ଘଟଣାରେ ଆଖି ବୁଜୁଛି ଶ୍ରମିକ ତ କେତେବେଳେ ଚାଲୁ ଚାଲୁ ବାଟରେ ଟଳି ପଡ଼ୁଛି।
ଏପରି ହୃଦୟଥରା ଚିତ୍ର ପ୍ରତିଦିନ ସାମନାକୁ ଆସିବା ପରେ ଦାଦନଙ୍କ ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର। ଏହାପରେ ଓଡ଼ିଶା ସୀମାରେ ପ୍ରବେଶ କରୁଥିବା ଶ୍ରମିକଙ୍କ ଖାଇବା, ପିଇବା ବ୍ୟବସ୍ଥା ସହ ଗନ୍ତବ୍ୟ ସ୍ଥଳରେ ନେଇ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।
ଆହୁରି ପଢ଼ନ୍ତୁ
ଏହି ପରିପ୍ରେକ୍ଷୀରେ ଗତକାଲି ମହାରାଷ୍ଟ୍ରରୁ ପଶ୍ଚିମବଙ୍ଗ ପୁରୁଲିଆକୁ ଯାଉଥିବା ୧୮ ଜଣ ପ୍ରବାସୀ ଶ୍ରମିକଙ୍କୁ ରାଉରକେଲା ପୁଲିସ୍ ଉଦ୍ଧାର କରିଛି । ପୁରୁଲିଆକୁ ଚାଲିଚାଲି ଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ପ୍ଲାଣ୍ଟସାଇଟ ବଣିଆ ଗେଟ ନିକଟରେ ପୁଲିସ୍ ସେମାନଙ୍କୁ ଅଟକାଇ ନିକଟରେ ଥିବା ଆଶ୍ରୟ ସ୍ଥଳୀରେ ରଖିଥିଲା । ପରେ ଏକ ବସ୍ ଯୋଗେ ଏହି ଶ୍ରମିକମାନଙ୍କୁ ପୁରୁଲିଆ ପଠାଇବାକୁ ପୁଲିସ୍ ବ୍ୟବସ୍ଥା କରୁଛି ।
ଚାଲି ଚାଲି ଯାଉଥିବା ପ୍ରବାସୀଙ୍କୁ ସହାନୁଭୂତି ଦେଖାଇ ଖାଦ୍ୟପେୟ ସହ ସେମାନଙ୍କ ରାଜ୍ୟରେ ସୀମାନ୍ତରେ ଛାଡିବାକୁ ପୁଲିସ୍ ଡିଜିପି ଅଭୟ ନିର୍ଦ୍ଦେଶ ଦେବା ପରେ ରାଉରକେଲା ପୁଲିସ୍ର ଏହା ପ୍ରଥମ ପଦକ୍ଷେପ ।






