

ସତ୍ୟଶିଖା( ଭୁବନେଶ୍ୱର)୧୩.୦୪.୨୦୨୨: ଧରାକୋଟ: ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ମାଣିକପୁର ପଞ୍ଚାୟତର ବାଦପୁର ଗ୍ରାମରେ ହଇଜା ବ୍ୟାପିଛି । ଦୂଷିତ ନଦୀ ପାଣିରେ ପ୍ରସ୍ତୁତ ପଣା ପିଇ ଗତ ଦୁଇଦିନ ମଧ୍ୟରେ ଗ୍ରାମର ୧୫ରୁ ଊର୍ଦ୍ଧ୍ୱ ପୁରୁଷ ଓ ଶିଶୁ ଆକ୍ରାନ୍ତ ହୋଇଛନ୍ତି । ଗତକାଲି ଗ୍ରାମର ୧୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଆଜି ଆଉ ଚାରି ଅସୁସ୍ଥ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଗୁରୁତର ଆକ୍ରାନ୍ତଙ୍କୁ ଶେରଗଡ଼ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଅନ୍ୟ କେତେକଙ୍କୁ ମାଣିକପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ସେହିପରି ଝରପାରି ପଞ୍ଚାୟତ ଅନ୍ତର୍ଗତ ବାଡୁଳା ଗ୍ରାମରେ ମଧ୍ୟ ଝାଡାବାନ୍ତି ଦେଖାଦେଇଛି । ଗତ ଦୁଇଦିନ ପୂର୍ବେ ଦୂଷିତ ପାଣିରେ ପ୍ରସ୍ତୁତ ପଣା ପିଇ ଗ୍ରାମର ବହୁ ବ୍ୟକ୍ତି ଆକ୍ରାନ୍ତ ହୋଇଥିଲେ । ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣଙ୍କୁ ଆସିକାସ୍ଥିତ ବାଲିସିରା ମେଡିକାଲକୁ ପଠାଯାଇଥିବା ବେଳେ ଅନ୍ୟ କେତେକ ସୁସ୍ଥ ହୋଇ ଘରେ ଚିକିତ୍ସିତ ହେଉଥିବା ସ୍ଥାନୀୟ ସରପଞ୍ଚ ସୂଚନା ଦେଇଛନ୍ତି । ଧରାକୋଟ ଭାରପ୍ରାପ୍ତ ଡା. ଅଶୋକ ଓ ଡା. ସୁକାନ୍ତ ପାତ୍ରଙ୍କ ତତ୍ତ୍ୱାବଧାନରେ ସମସ୍ତେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ଘଟଣା ପରେ ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅଞ୍ଜଳି ସ୍ୱାଇଁ, ମାଣିକପୁର ସରପଞ୍ଚ ଉର୍ବଶୀ ନାୟକ, ମଛାକୋଟ ସରପଞ୍ଚ ମଙ୍ଗୁଳୁ ପାତ୍ର, ୩୦ ନଂ ଜୋନ୍ ଜିଲ୍ଳା ପରିଷଦ ସଭ୍ୟ ଟୁକୁନା ଗୌଡ ମାଣିକପୁର ମେଡିକାଲରେ ପହଞ୍ôଚ ରୋଗୀ ଏବଂ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ପରେ ବାଦପୁର ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଅନ୍ୟପକ୍ଷରେ ସ୍ଥାନୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି । ଲୋକଙ୍କୁ ଓଆର୍ଏସ୍ ବଣ୍ଟନ କରାଯିବା ସହ ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ବ୍ଲିଚିଂ ପକାଯାଇଥିବା ଜଣାପଡିଛି ।