ବିହାର ନିର୍ବାଚନରେ ଏବେବି ଡନ୍ଙ୍କ ପ୍ରଭାବ L


ସତ୍ୟଶିଖା (ପାଟନା) ୦୬.୧୦.୨୦୨୦ : ବିଧାନସଭା ନିର୍ବାଚନ ପାଇଁ ବିହାରର ରାଜନୈତିକ ତାତି ସରଗରମ ହୋଇ ଉଠିଛି । ବିଭିନ୍ନ ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା ନେଇ ଅଙ୍କକଷା ଆରମ୍ଭ କରିଦେଲେଣି । କେଉଁ ବ୍ୟକ୍ତି ପ୍ରାର୍ଥୀ ହେଲେ ବିଜୟୀ ହେବାର ସମ୍ଭାବନା ଅଧିକ ସେନେଇ ମଧ୍ୟ ଚାଲିଲାଣି ଜୋରଦାର ଚର୍ଚ୍ଚା । ଏହାମଧ୍ୟରେ ପ୍ରାର୍ଥୀଙ୍କ ଭାବମୂର୍ତ୍ତିକୁ ମଧ୍ୟ ଗୁରୁତ୍ୱ ଦେବାକୁ ପଡିବ । ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙକୁ ଟିକେଟ୍ ନମିଳିପାରେ । ତେବେ ବିହାରରେ ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କ ବଦଳରେ ତାଙ୍କ ସମ୍ପର୍କୀୟଙ୍କୁ ପ୍ରାର୍ଥୀ କରାଯିବା ନେଇ ସୂଚନା ମିଳିଛି । ଆରଜେଡି ଏବଂ ଜେଡିୟୁ ପକ୍ଷରୁ ଏପରି ଅନେକ ପ୍ରାର୍ଥୀଙ୍କ ନାଁ ପ୍ରକାଶ ପାଇଛି ଯେଉଁମାନଙ୍କ ଘନିଷ୍ଠ ସମ୍ପର୍କୀୟଙ୍କ ନାଁରେ ବହୁ ସଙ୍ଗୀନ ଅଭିଯୋଗ ରହିଛି ।
ସୋମବାର ଆରଜେଡି ପକ୍ଷରୁ ୨୦ ଓ ଜେଡିୟୁ ପକ୍ଷରୁ ୧୫ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ତେବେ ବିଜେପି ଏବଂ କଂଗ୍ରେସ ଏବେସୁଦ୍ଧା ପ୍ରାର୍ଥୀ ଘୋଷଣା କରିନାହାଁନ୍ତି ।ଆରଜେଡି ଘୋଷଣା କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୧୦ ଜଣ ହେଉଛି ଯାଦବ । ଦଳ ଯାଦବ ଭୋଟକୁ ହାତେଇବା ପାଇଁ ଏପରି କରିଥିବା କୁହାଯାଉଛି । ସେହିପରି ୨ ଜଣ ମହିଳା ପ୍ରାର୍ଥୀଙ୍କ ସ୍ୱାମୀଙ୍କ ନାଁରେ ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ ରହିଛି । ସେହିପରି ଜେଡିୟୁ କୌଣସି ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ଟିକେଟ୍ ଦେଇନଥିଲେ ମଧ୍ୟ ସେପରି କିଛି ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ମିଳିଛି ଟିକେଟ୍ ।
ତେବେ ଲାଲୁ ଯାଦବ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ସହ ଗିରଫ ହୋଇଥିଲେ । ତେଁଣୁ ତାଙ୍କର ଓ ପତ୍ନୀ ରବଡୀ ଦେବୀଙ୍କ ଫଟୋ ଆରଜେଡିର ଦଳୀୟ ପୋଷ୍ଟରରୁ ହଟାଯାଇଛି । ସେହିପରି ଦଳର ଜଣେ ବିଧାୟକ ଯିଏ ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଦସ୍ୟତା ହରାଇଥିଲେ ତାଙ୍କ ପତ୍ନୀ ମଧ୍ୟ ଟିକେଟ୍ ରେସରେ ଅଛନ୍ତି ।ସେହିପରି ଅରୁଣ ଯାଦବନାମକ ଜଣେ ବ୍ୟକ୍ତି ଯିଏ ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ, ତାଙ୍କ ପତ୍ନୀ କିରଣ ଯାଦବଙ୍କୁ ମଧ୍ୟ ଟିକେଟ୍ ମିଳିଛି । ସୋମବାର ଅରଜେଡି ଏମପି ରାମା ସିଂ ଯିଏ ଏକ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ନିକଟରେ ତେଜସ୍ୱୀ ଯାଦବଙ୍କୁ ଭେଟି ଟିକେଟ୍ ପାଇଁ ଲବି କରିଥିଲେ । ତେବେ ଏପରି ପ୍ରାର୍ଥୀ ତାଲିକା ଆସିବା ପରେ ବିଜେପି ଓ ଜେଡିୟୁ ଆରଜେଡିକୁ କଡା ସମାଲୋଚନା କରିଛନ୍ତି ।