

ସତ୍ୟଶିଖା ୦୨/୦୮/୨୦୨୫:ବୀର ପଦ୍ମନାଭପୁର ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ । ଉକ୍ତ ପ୍ରାଥମିକ ବିଦ୍ୟାଳୟଟି ରହିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅଧିନସ୍ଥ ବଡ଼ ଡୁମୁଳା ପଞ୍ଚାୟତରେ । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମୌଳିକ ସୁବିଧା ଯାହାକି ପିଇବା ପାଣି, ଶୌଚାଳୟ ଆଦି ନଥିବା ଯୋଗୁଁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଦ୍ୟାଳୟ ପରିସର ଅପରିଷ୍କାର ଭାବେ ପଡ଼ିରହିଛି । ବିଦ୍ୟାଳୟର ପାଚେରୀ ନିର୍ମାଣ ହୋଇପାରିନାହିଁ । ଶିକ୍ଷକ ମାନେ ଠିକ୍ ସମୟରେ ବିଦ୍ୟାଳୟକୁ ଆସୁନାହାନ୍ତି । ପିଲାଙ୍କୁ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ହେତୁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ସ୍କୁଲରେ ତାଲା ପକେଇ ପ୍ରତିବାଦ କରିଥିଲେ । ପାଚେରୀ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ଭାବେ ରହିଥିବା ହେତୁ ରାତିରେ ମଦୁଆ ମାନଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ମଧ୍ୟାହ୍ନ ଭୋଜନ ନିମ୍ନମାନର ଦିଆଯାଉଥିବା ଅଭିଯୋଗରେ ଦୀର୍ଘ ଘଣ୍ଟା ଧରି ସ୍କୁଲ ଫାଟକ ବନ୍ଦ କରି ପ୍ରତିବାଦ କରିଥିଲେ । ଏହାପରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ CRS ସହ ସ୍ଥାନୀୟ ସରପଞ୍ଚ ଆସି ଲୋକଙ୍କୁ ବୁଝାସୁଝା କରିବା ସହିତ ୧୦ଦିନ ମଧ୍ୟରେ ତାଙ୍କ ଦାବି ଗୁଡ଼ିକ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ପାଠପଢା ସ୍ୱାଭାବିକ ହୋଇଥିଲା ।