ସତ୍ୟଶିଖା( ବ୍ରହ୍ମପୁର )୧୫.୦୭ . ୨୦୨୨:ଗଞ୍ଜାମ ଜିଲ୍ଲାରେ ସମୁଦ୍ର କ୍ରମଶଃ ଏହାର ଉପକୂଳବର୍ତ୍ତୀ ଗାଁଗୁଡ଼ିକୁ ଗ୍ରାସ କରିବାରେ ଲାଗିଛି । ଯାହାକୁ ନେଇ ଅନେକ ଗାଁର ବାସିନ୍ଦା ଭୟ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସେଥି ମଧ୍ୟରେ ପୋଡ଼ମପେଟା ଅନ୍ୟତମ ଗ୍ରାମ ଭାବେ ପରିଚିତ । ଗତ କିଛି ବର୍ଷ ଧରି ଏଭଳି ସ୍ଥିତି ଯୋଗୁଁ ଜନଶୂନ୍ୟ ହୋଇଗଲାଣି ପୂରା ଗାଁ । ସଂପ୍ରତି ଏହି ଗାଁରେ ରହିଛି ପ୍ରାୟ ୧୦୦ରୁ ଅଧିକ ଘର । କିନ୍ତୁ ସମୁଦ୍ର ଭୟରେ ନିଜ ଘରକୁ ଛାଡ଼ି ଗାଁରୁ ଅନ୍ୟ ଏକ ଗାଁକୁ ଚାଲିଯାଇଛନ୍ତି ଗ୍ରାମବାସୀ । ଦିନକୁ ଦିନ ସମୁଦ୍ର କୂଳ ଖାଇବା ପରେ ଗତ ଦୁଇ ମାସ ମଧ୍ୟରେ ପ୍ରାୟ ୧୦ରୁ ଅଧିକ ଘର ସମୁଦ୍ରରେ ଲୀନ ହୋଇଯାଇଥିଲା । ଯାହାଫଳରେ ସମୁଦ୍ରର ଏଭଳି କରାଳ ରୂପକୁ ଆଉ ସହି ନପାରି ବାଧ୍ୟ ହୋଇ ଗ୍ରାମବାସୀ ଗାଁ ଛାଡ଼ିଛନ୍ତି । ବର୍ତ୍ତମାନ ପୋଡ଼ମପେଟା ଗାଁ ଏବେ ଖାଁ ଖାଁ ହୋଇପଡ଼ିଛି ।
ଗାଁକୁ ଛାଡ଼ି ଅନ୍ୟ ଏକ ଗାଁରେ ରହିଥିଲେ ସୁଦ୍ଧା ସେଠାରେ ଗ୍ରାମବାସୀଙ୍କ ନିମନ୍ତେ ସେଭଳି କୌଣସି ସୁବିଧା ନଥିବା ସତ୍ତ୍ୱେ ସେଠି ରହିବାକୁ ସେମାନେ ବାଧ୍ୟ ହେଉଛନ୍ତି । ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପୋଡ଼ମପେଟା ଗାଁରେ ବସବାସ କରନ୍ତି ପ୍ରାୟ ୫୦୦ରୁ ଅଧିକ ଗ୍ରାମବାସୀ । ଦିନ ଥିଲା ଗାଁରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ରହିଥିଲା ସମୁଦ୍ର । କିନ୍ତୁ ପରିବର୍ତ୍ତିତ ପରିବେଶ ପ୍ରଭାବରେ ସମୁଦ୍ର ଅଶାନ୍ତ ହେବା ସହ ସମୁଦ୍ର ଗତ କିଛି ବର୍ଷ ହେଲା ଗାଁ ମୁହାଁ ହୋଇଥିବା ପରିଲକ୍ଷିତ ହୋଇଛି । ପୂର୍ବରୁ ଏଠାରେ ପ୍ରାୟ ୩ଟି ସାହିର ୩୦ରୁ ଅଧିକ ଘର ସମୁଦ୍ରର ଉଚ୍ଚ ଜୁଆରରେ ଭାସି ଯାଇ ନଷ୍ଟ ହୋଇଯାଇଥିଲା ।
ବର୍ତ୍ତମାନ ଗତ ଦୁଇ ମାସ ମଧ୍ୟରେ ଗାଁର ଆଉ ଦୁଇଟି ସାହି ସମୁଦ୍ରର ଜୁଆରରେ ଭାଙ୍ଗି ନଷ୍ଟ ହୋଇଯାଇଛି । ଯାହାଫଳରେ ଘରେ ରହିଥିବା ଅନେକ ଆସବାବପତ୍ର ମଧ୍ୟ ସମୁଦ୍ରରେ ଭାସିଯାଇଛି । ଗ୍ରାମବାସୀ ମତ୍ସ୍ୟଜୀବୀ ହୋଇଥିବା ଯୋଗୁଁ ସମୁଦ୍ର କୂଳରେ ରହି ମାଛ ମାରି ନିଜର ଜୀବନ ଅତିବାହିତ କରୁଥିଲେ । କିନ୍ତୁ ଦିନକୁ ଦିନ ସମୁଦ୍ରର ଜୁଆର ଏଭଳି ଭାବେ ଗାଁକୁ ଗ୍ରାସକରୁଥିବାରୁ ଏବେ ଗାଁ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି । ଦିନ ଥିଲା ଏହି ଗାଁରେ ଆଖପାଖ ଅଞ୍ଚଳର ଲୋକେ ଗାଁକୁ ଆସି ମାଛ ବ୍ୟବସାୟ କରୁଥିଲେ । ଗାଁରେ ରହିଥିବା ମତ୍ସ୍ୟଜୀବୀ ମାନେ ମାଛ ଧରି ଆସିଲେ ଏହି ଗାଁରୁ ହିଁ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ମାଛ ବିକ୍ରି ନିମନ୍ତେ ଯାଉଥିବାର ନଜିର ରହିଛି।
ମାଛ ବ୍ୟବସାୟ ଯୋଗୁଁ ପ୍ରତିଦିନ ଭୋରରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମାଛ କିଣାବିକା ନିମନ୍ତେ ଭିଡ଼ ଦେଖିବାକୁ ମିଳୁଥିଲା ଗାଁରେ । ବର୍ତ୍ତମାନ ଗାଁ ସମ୍ପୂର୍ଣ୍ଣ ରୂପେ ଶୂନଶାନ୍ ହୋଇପଡ଼ିଛି । ଗାଁରେ ଅନେକ ଘର ଅଛି ସତ କିନ୍ତୁ ଗୋଟିଏ ଘରେ ଜଣେ ବି ସଦସ୍ୟ ରହୁ ନାହାନ୍ତି । ସମୁଦ୍ର ଭୟରେ ନିଜ ଘରକୁ ଛାଡ଼ିବାକୁ ବାଧ୍ୟ ହୋଇ ଅନ୍ୟ ଗାଁରେ ଯାଇ ରହୁଛନ୍ତି ପୋଡ଼ମପେଟା ଗାଁର ଗ୍ରାମବାସୀ ।
ସୂଚନାଯୋଗ୍ୟ ଯେ, ସମୁଦ୍ର ନିକଟରେ ରହିଛି ପାଳିବନ୍ଧ ପଞ୍ଚାୟତ । ପାଳିବନ୍ଧର ୮ଟି ଗାଁ ମଧ୍ୟରୁ ପୋଡ଼ମପେଟା, କଣ୍ଟିଆଗଡ଼, ପୁରୁଣାବନ୍ଧ ଓ ଗୋଖରକୁଦା ସମୁଦ୍ରକୁ ଲାଗି ରହିଛି । ବର୍ତ୍ତମାନ କୂଳ ଆଡକୁ ମାଡ଼ି ଆସୁଥିବା ସମୁଦ୍ରର କରାଳ ପ୍ରଭାବରେ ପୋଡ଼ମପେଟା ଗାଁ ସମ୍ପୂର୍ଣ୍ଣ ରୂପେ ସମୁଦ୍ରରେ ଲୀନ ହେବା ପରିସ୍ଥିତି ସ୍ପଷ୍ଟ ହୋଇଛି ।
ଏଭଳି ଦୃଶ୍ୟକୁ ଦେଖି ପାଳିବନ୍ଧର ଅନ୍ୟ ଗ୍ରାମବାସୀ ମଧ୍ୟ ଭୟଭୀତ ଅବସ୍ଥାରେ ରହିଛନ୍ତି୍ । କାରଣ ପୋଡ଼ମପେଟାରେ ନିକଟରେ ଦୀର୍ଘ ବର୍ଷ ହେଲା ସମୁଦ୍ର କୂଳ ଖାଇ ଆସୁଛି । ଗୋଟିଏ ପରେ ଗୋଟିଏ ହୋଇ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ରୁ ଅଧିକ ସାହିର ୫୦ରୁ ଅଧିକ ଘର ସମୁଦ୍ରରେ ମିଶିଯାଇଥିବା ବେଳେ ସମୁଦ୍ର ଭୟରେ ଗ୍ରାମବାସୀ ମଧ୍ୟ ନିଜ ଘର ଛାଡ଼ି ଗାଁରୁ ବାହାରି ଯାଇଛନ୍ତି । ଗାଁ ନିକଟରେ ଏକ ସିମେଣ୍ଟ ବନ୍ଧ ବାନ୍ଧିବା ନେଇ ଗ୍ରାମବାସୀ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିବା କହିଛନ୍ତି ପାଳିବନ୍ଧ ବାସିନ୍ଦା । ଗ୍ରାମବାସୀ ସମୁଦ୍ରରେ ମାଛ ମାରି ନିଜର ଜୀବନ ଅତିବାହିତ କରୁଥିବା ବେଳେ ସେମାନଙ୍କ ନିମନ୍ତେ ଅନ୍ୟ କୌଣସି ଜୀବିକାର ବିକଳ୍ପ ନାହିଁ । ତେଣୁ ମତ୍ସ୍ୟଜୀବୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ସିମେଣ୍ଟ ବନ୍ଧ ବାନ୍ଧିବା ଜରୁରୀ ବୋଲି ପାଳିବନ୍ଧ ବାସିନ୍ଦା ର୍ଞ୍ଜିତ କୁମାର ପଲେଇ,ପବିତ୍ର ସ୍ୱାଇଁ ପ୍ରମୁଖ କହିଛନ୍ତି ।