ବ୍ରହ୍ମପୁର ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ସତ୍ୟଶିଖା (ବ୍ରହ୍ମପୁର) ୦୯.୦୩.୨୦୨୨: ବ୍ରହ୍ମପୁର ଗ୍ରାମୀଣ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରୁ ଜବତ ହେଲାଣି ନଗଦ ୧୯ ଲକ୍ଷ ୫୧ ହଜାର ଟଙ୍କାରୁ ଅଧିକ ଟଙ୍କା । ଭୁବନେଶ୍ୱରରେ ଥିବା ଘର ଦେଖି ତାଜୁବ୍ ହୋଇଯାଇଛନ୍ତି ଭିଜିଲାନ୍ସ ଅଧିକାରୀ । ତିନି ମହଲା ଘରେ ଲାଗିଛି ଲିଫ୍ଟ । ସବୁ ରୁମରେ ସେନସର ଲକିଂ ସିଷ୍ଟମ ରହିଛି । ଠାକୁର ଘରଠୁ ଆରମ୍ଭ କରି ସବୁ ରୁମରେ ଲାଗିଛି ଏସି । ଘରେ ରହିଛି ଦେଢ ଲକ୍ଷରର ଅଧିକ ଟଙ୍କାର ଫ୍ରିଜ୍ । ବିଳାସପୂର୍ଣ୍ଣ ଫ୍ରିଜ୍ ମଧ୍ୟ ରଖିଛନ୍ତି ଜଗନ୍ନାଥ ସେଠୀ । ଭୁବନେଶ୍ୱର ଏମ୍ସ ନଗରରେ ୪ ହଜାର ବର୍ଗ ଫୁଟର ଏହି ଘର ରହିଛି । କୋଟି କୋଟି ଟଙ୍କା ବ୍ୟୟରେ ତିଆରୀ କରାଯାଇଛି ଏହି ଘର । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ଭିଜିଲାନ୍ସ ରେଡ କରୁଛି ।

ଯାଂଚ ବେଳେ ଭିଜିଲାନ୍ସ ଟିମକୁ ତଦନ୍ତରେ ସହଯୋଗ କରିନଥିଲେ ଯନ୍ତ୍ରୀ ଏବଂ ତାଙ୍କ ପୁଅ । ବ୍ରହ୍ମପୁରରେ ଯନ୍ତ୍ରୀ ଜଗନ୍ନାଥ ସେଠୀ ଓ ଭୁବନେଶ୍ୱରରେ ତାଙ୍କ ପୁଅ ଘର ଭିତର ପଟୁ ତାଲା ବନ୍ଦ କରିଥିଲେ । କିନ୍ତୁ ଭିଜିଲାନ୍ସ ଟିମ୍ କବାଟ ଭାଙ୍ଗି ଘରକୁ ପସି ଛାନଭିନ କରୁଛନ୍ତି । ତଦନ୍ତରେ ଅସହଯୋଗ କରିଥିବାରୁ ଯନ୍ତ୍ରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭିଜିଲାନ୍ସ କହିଛି । ଖୋର୍ଦ୍ଧା ଓ ଗଂଜାମ ଜିଲ୍ଲାର ୫ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ ଟିମ୍ । ବ୍ରହ୍ମପୁର ଗଜପତି ନଗରର ଅଷ୍ଟମ ଲେନରେ ଥିବା ଏକ ୪ ମହଲା ଘର, ୧୧ ଲେନରେ ଥିବା ୫ ମହଲା ଘର, ଭୁବନେଶ୍ୱର ଏମ୍ସ ନଗରରେ ଥିବା ୪ ମହଲା ବିଶିଷ୍ଟ ଘର, ଗଂଜାମ ଆମ୍ବପୁଆରେ ଥିବା ଅଫିସ ଓ ପୈତୃକ ଘର ଛତ୍ରପୁରର ପୁଟବଗଡ଼ ଠାରେ ଏକାକାଳୀନ ଯାଂଚ କରୁଛି ଭିଜିଲାନ୍ସ । ଜଣେ ଆଡିସିନାଲ ଏସପି, ୪ ଡିଏସପି ଓ ୧୦ ଇନ୍ସପେକ୍ଟରଙ୍କ ତତ୍ୱାବଧାନରେ ଚାଲିଛି ଚଢ଼ାଉ ।

Exit mobile version