ସତ୍ୟଶିଖା(ଭୁବନେଶ୍ୱର) ୧୯.୦୬.୨୦୨୧: କରୋନାରେ ଆକ୍ରାନ୍ତ ଓଡ଼ିଶା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ ହୋଇଯାଇଛି। କୋଲକାତାର ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଶୁକ୍ରବାର ରାତି ୧୦ଟା ୧୫ ମିନିଟ୍ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା।
କରୋନାରେ ଆକ୍ରାନ୍ତ ହେବା ପରେ କଟକର ଏକ ଘରୋଇ ହସ୍ପିଟାଲରେ ଦେବାଶିଷଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା ଓ ଇକ୍ମୋ ଚିକିତ୍ସା ଆବଶ୍ୟକ ହୋଇଥିଲା। ତେଣୁ ଜୁନ୍ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ୱରରୁ କୋଲକାତା ନିଆଯାଇଥିଲା। ଚାରିଦିନ ତଳେ ତାଙ୍କ ରକ୍ତ ସଂକ୍ରମଣ ବଢ଼ି ଯାଇଥିଲା। ଡାଏଲିସିସ କରାଯିବାରୁ ରକ୍ତରେ ଅଙ୍ଗାରକାମ୍ଳ ପରିମାଣ ବହୁ ମାତ୍ରାରେ ବଢ଼ି ଯାଇଥିବା ଜଣାପଡ଼ିଥିଲା ଏହାପରେ ଇକମୋ ସାହାଯ୍ୟରେ ଅମ୍ଳଜାନ ଦେଇ ଅଙ୍ଗରକାମ୍ଳ ବାହାର କରିବାକୁ ଚେଷ୍ଟା କରାଯାଇଥିଲା। ହେଲେ ତାହା ବିଫଳ ହୋଇଥିଲା।
ଗୁରୁବାର ଦିନ ରାତିରେ ଦେବାଶିଷଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଟିକିଏ ସୁଧାର ଆସିଥିଲା ଏହି ସମୟରେ ଡାକ୍ତର କିଛି ପଚାରିବାରୁ ସେ ମୁଣ୍ଡ ହଲାଇ ଉତ୍ତର ଦେଇଥିଲେ। ହେଲେ ଆଜି ତାଙ୍କ ଅବସ୍ଥା ବିଗିଡ଼ିଥିଲା। ଶେଷରେ ରାତି ୧୦ଟା ୧୫ବେଳେ ତାଙ୍କର ଦେହାନ୍ତ ହୋଇଥିଲା।