

ସତ୍ୟଶିଖା( ଭୁବନେଶ୍ୱର)୧୮.୦୪.୨୦୨୨ : ପରପାରିରେ ବର୍ଷୀୟାନ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର । ରବିବାର ରାତିରେ ସତ୍ୟନଗରସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଆଜି ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯିବ । ସୃଜନର ଏକାଧିକ ଧାରାରେ ପାଦ ଥାପିଥିଲେ କମଳ ଦେଶର ରାଜକୁମାର ପ୍ରଫୁଲ୍ଲ କର। ଏକାଧାରରେ ସେ ଜଣେ ସଂଗୀତଜ୍ଞ, ଗୀତିକାର, ଲେଖକ, ସ୍ତମ୍ଭକାର ଭାବେ ପରିଚିତ ଥିଲେ। ଚଳଚ୍ଚିତ୍ର ସଂଗୀତ, ଲଘୁ ସଂଗୀତ, ଭକ୍ତି ସଂଗୀତ ଓ ଓଡ଼ିଶୀ ସଂଗୀତରେ ତାଙ୍କର ଥିଲା ଅନନ୍ୟ ପାରଦର୍ଶୀତା । ଗାୟନ କଳା ସହ ସଂଗୀତ ନିର୍ଦ୍ଦେଶନା ଓ ଗୀତ ରଚନାରେ ମଧ୍ୟ ସେ ଜୀବନ ବ୍ୟାପୀ ତପସ୍ୟା କରିଥିଲେ। ତାଙ୍କ ଅନବଦ୍ୟ ସୃଷ୍ଟି ତାଙ୍କୁ ଓଡ଼ିଶାର ଘରେ ଘରେ ପରିଚିତ କରାଇଥିଲା। ପରିଣତ ବୟସ ପର୍ଯ୍ୟନ୍ତ ସେ ସଙ୍ଗୀତ ସାଧନାରେ ବ୍ରତୀ ଥିଲେ । କଳା କ୍ଷେତ୍ରକୁ ଅତୁଳନୀୟ ଅବଦାନ ଲାଗି ୨୦୧୫ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିବା ବେଳେ ୨୦୦୪ ମସିହାରେ ଜୟଦେବ ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଥିଲା।
୧୯୩୯ ମସିହା ଫେବୃଆରୀ ୧୬ ତାରିଖରେ ପୁରୀରେ ଜନ୍ମ ଗ୍ରହଣ କରିଥିଲେ ସୁନାମଧନ୍ୟ ସଙ୍ଗୀତଜ୍ଞ ପ୍ରଫୁଲ କର । ୪୦ରୁ ଅଧିକ ଓଡ଼ିଶା ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ପ୍ରଫୁଲ କର ୫ଟି ବଙ୍ଗଳା ଫିଲ୍ମରେ ବି ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଜୀବନ ବ୍ୟାପୀ ସଙ୍ଗୀତ ସାଧନା ପାଇଁ ଏକାଧିକ ପୁରସ୍କାର ଓ ମାନ ସମ୍ମାନରେ ସମ୍ମାନିତ ହୋଇଥିଲେ।
‘ ବନ୍ଧୁ ମହାନ୍ତି’ ଫିଲ୍ମ ୧୯୭୭ ମସିହାରେ ତାଙ୍କୁ ଘରେ ଘରେ ପରିଚୟ ଦେଇଥିଲା । ଏହି ସିନେମାର ‘ମହାବାହୁ’ ଗୀତ ପାଇଁ ବେଶ୍ ଲୋକପ୍ରିୟ ହୋଇଥିଲେ ପ୍ରଫୁଲ କର । ପରେ ‘ବଳୀଦାନ’ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇ ଓଡ଼ିଆ ସିନେ ସଙ୍ଗୀତ ଜଗତରେ ଇତିହାସ ସୃଷ୍ଟି କରିଥିଲେ ପ୍ରଫୁଲ କର । କଳାପ୍ରିୟ ପରିବାରରୁ ଆସିଥିବା ପ୍ରଫୁଲ୍ଲ କରଙ୍କ ପରପିଢ଼ୀ ମଧ୍ୟ ସଙ୍ଗୀତ ପ୍ରତି ଉତ୍ସର୍ଗୀକୃତ । ତାଙ୍କ ବିୟୋଗରେ ଓଡ଼ିଶାର ସଙ୍ଗୀତ ତଥା କଳା ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।