

ସତ୍ୟଶିଖା( ବେଜିଙ୍ଗ୍) ୨୨.୦୫.୨୦୨୧: ଉତ୍ତରପଶ୍ଚିମ ଓ ଦକ୍ଷିଣପଶ୍ଚିମ ଚୀନ୍ରେ ଆଜି ପ୍ରତ୍ୟୁଷରେ ଏକାଧିକ ଶକ୍ତିଶାଳୀ ଭୂମିକମ୍ପ ହୋଇଛି। ଏଥିରେ ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି।
ଏହି ଭୂମିକମ୍ପରେ ଚୀନ୍ର ଉତ୍ତରପଶ୍ଚିମ ଅଞ୍ଚଳର ତିବ୍ବତୀୟ ପ୍ଲେଟ୍ୟୁ ଅନ୍ତର୍ଗତ କ୍ଵିନ୍ଘାଇ ପ୍ରଦେଶ ଓ ଦକ୍ଷିଣପଶ୍ଚିମ ଅଞ୍ଚଳର ୟୁନାନ୍ ପ୍ରଦେଶ ପ୍ରଭାବିତ ହୋଇଛି। କମ୍ପନର ଉତ୍ପତ୍ତିସ୍ଥଳ ଅଗଭୀର ଥିବାରୁ ଏହା ବିଶେଷ କ୍ଷତିକାରକ ହୋଇଛି।
ଯୁକ୍ତରାଷ୍ଟ୍ର ଆମେରିକାର ଜିଓଲୋଜିକାଲ୍ ସର୍ଭେ କହିଛି ଜନପ୍ରିୟ ପର୍ଯ୍ୟଟନସ୍ଥଳୀ ଦାଲି ସହର ନିକଟବର୍ତ୍ତୀ ଅଞ୍ଚଳରେ ଶୁକ୍ରବାର ରାତି ସ୍ଥାନୀୟ ସମୟ ୯.୪୮ରେ ସଂଘଠିତ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ଥିଲା। ଏହାର କିଛି ଘଣ୍ଟା ପରେ ୧୨୦୦ କିଲୋମିଟରରୁ ଅଧିକ ଦୂର କ୍ଵିନ୍ଘାଇ ପ୍ରଦେଶରେ ୭.୩ ତୀବ୍ରତାସମ୍ପନ୍ନ ଆଉ ଏକ ଭୂମିକମ୍ପ ହୋଇଥିଲା। ଏହା ପରେ ଆଉ ଥରେ କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପନ କାରଣରୁ ପାହାଡ଼ିଆ ଅଞ୍ଚଳରେ ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୨୨ଜଣ ଆହତ ହୋଇଛନ୍ତି। ଏକାଧିକ ସ୍ଥାନରେ ଘର କ୍ଷତିଗ୍ରସ୍ତ ହୋଇଥିବା ଖବର ମିଳିଛି। ତେବେ କ୍ଷୟକ୍ଷତି ସମ୍ପର୍କରେ ସଠିକ କୌଣସି ସୂଚନା ମିଳିପାରି ନାହିଁ।
ୟୁନାନ୍ ସ୍ଥାନୀୟ ସରକାର କହିଛନ୍ତି ଭୂକମ୍ପରେ କିଛି ବିଲଡିଂ ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ବେଳେ ଆଉ କିଛି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ରହୁଥିବା ପ୍ରାୟ ୧ ଲକ୍ଷ ଲୋକଙ୍କ ମଧ୍ୟରୁ ୨୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ଗଣମାଧ୍ୟରେ ଭୂକମ୍ପ ଝଟକା ପରେ କେମିତି ଲୋକମାନେ ପ୍ରାଣ ବିକଳରେ ଖୋଲା ସ୍ଥାନକୁ ଦୌଡ଼ୁଥିଲେ ତା’ର ଦୃଶ୍ୟ ପ୍ରକାଶ ପାଇଛି।