

ସତ୍ୟଶିଖା(ଭୁବନେଶ୍ୱର )୨୪.୧୧.୨୦୨୨: ଜାତୀୟ ଓ ରାଜ୍ୟ ରାଜପଥରେ ବୈଧ ଡକ୍ୟୁମେଂଟ ନଥାଇ ଚାଲୁଥିବା ଗାଡ଼ିଗୁଡ଼ିକୁ ଅନଲାଇନ୍ ମାଧ୍ୟମରେ ଚିହ୍ନଟ କରି ସେଗୁଡ଼ିକର ଚାଲାଣ କାଟିବା ନିମନ୍ତେ ରାଜ୍ୟ ସରକାର ଆସନ୍ତା ନୂଆବର୍ଷରୁ ଇ-ଡିଟେକ୍ସନ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି । ପ୍ରଥମ ପର୍ଯ୍ୟାୟରେ ଜାନୁୟାରୀ ପହିଲାରୁ ଜାତୀୟ ରାଜପଥରେ ବୈଧ ଡକ୍ୟୁମେଂଟ ନଥାଇ ଚାଲୁଥିବା ଗାଡ଼ିଗୁଡ଼ିକ ନିମନ୍ତେ ଏହି ଇ-ଡିଟେକ୍ସନ ବ୍ୟବସ୍ଥା ଲାଗୁ ହେବ।
ରାଜ୍ୟ ଯୁଗ୍ମ ପରିବହନ କମିଶନର(ଟେକନିକାଲ) ଦୀପ୍ତିରଞ୍ଜନ ପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଡକ୍ୟୁମେଂଟ ଅପଡେଟ୍ ନଥାଇ ଚାଳୁଥିବା ଗାଡ଼ିଗୁଡ଼ିକୁ ଧରିବା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଇ-ଡିଟେକ୍ସନ ପୋର୍ଟାଲ ପ୍ରସ୍ତୁତ କରାଯାଉଛି । ଜାତୀୟ ରାଜପଥରେ ଥିବା ବିଭିନ୍ନ ଟୋଲଗେଟରୁ ଏହି ପୋଟାଲ ତଥ୍ୟ ସଂଗ୍ରହ କରିବ । ପ୍ରଥମ ପର୍ଯ୍ୟାୟରେ ଜାତୀୟ ରାଜପଥର ସମସ୍ତ ଟୋଲ ଗେଟ୍ ସହ ଏହି ପୋର୍ଟାଲକୁ ସଂଯୋଗ କରାଯିବ । ପରେ ଖଣି ଓ ଶିଳ୍ପାଂଚଳରୁ ମଧ୍ୟ ତଥ୍ୟ ସଂଗ୍ରହ କରାଯିବ । ସଂଗୃହୀତ ତଥ୍ୟକୁ ବାହାନ ପୋର୍ଟାଲରେ ଯାଂଚ କରାଯାଇ ବୈଧ ଡକ୍ୟୁମେଂଟ ନଥିଲେ ସ୍ୱତଃପ୍ରବୃତ୍ତ ଇ-ଚାଲାଣ ଜାରି କରାଯିବାର ବ୍ୟବସ୍ଥା ଏହି ଇ-ଡିଟେକ୍ସନ ପୋର୍ଟାଲରେ ରହିବ । ଫାଷ୍ଟଟ୍ୟାଗ ଓ ଟେଲଗେଟରୁ ତଥ୍ୟ ସଂଗ୍ରହ କରାଯିବ । ଜାତୀୟ ରାଜପଥରେ ଥିବା ଟୋଲ ଗେଟଗୁଡ଼ିକରୁ ନମୂନା ତଥ୍ୟ ସଂଗ୍ରହ କରାଯିବା ପରେ ଏହି ଇ-ଡିଟେକ୍ସନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ।