ନ୍ୟୁଜ୍ରାଜ୍ୟ

ରାଷ୍ଟ୍ରୀୟ ମର୍ଯାଦା ସହ ବୀଣାପାଣି ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ

ସତ୍ୟଶିଖା( ଭୁବନେଶ୍ୱର)୨୫.୦୪.୨୦୨୨:  ବିଶିଷ୍ଟ ସାହିତ୍ୟିକା ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବୀଣାପାଣି ମହାନ୍ତିଙ୍କ ଶେଷକୃତ୍ୟ କଟକ ସତୀଚଉରା ଶ୍ମଶାନଠାରେ ରାଷ୍ଟ୍ରୀୟ ମର‌୍ୟ୍ୟାଦା ସହ ସମ୍ପନ୍ନ କରାଯାଇଛି। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ, ଡିସିପି ପ୍ରତିକ ସିଂହ, ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ, ଗତକାଲି କଟକ ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବୀଣାପାଣି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା ।
୧୯୩୬ରେ ଜନ୍ମିତ ବୀଣାପାଣି କଲେଜ ଜୀବନରୁ କବିତା ଲେଖୁଥିଲେ। ବିଭିନ୍ନ ପତ୍ରପତ୍ରିକା ଓ ପୁସ୍ତକରେ ତାଙ୍କର ୨୦୦ରୁ ଅଧିକ କବିତା ପ୍ରକାଶ ପାଇଛି। ୧୯୬୫ ମସିହାରୁ ସେ କ୍ଷୁଦ୍ରଗଳ୍ପ ଲେଖିବା ଆରମ୍ଭ କରିଥିଲେ। ତାଙ୍କ ରଚିତ ୩୦ରୁ ଅଧିକ ଗଳ୍ପ ପୁସ୍ତକ ଓ ୩ଟି ଉପନ୍ୟାସ ପ୍ରକାଶ ପାଇଛି। ତାଙ୍କ ରଚିତ କ୍ଷୁଦ୍ରଗଳ୍ପ ସଂକଳନ ‘ପାଟଦେଈ’ ୧୯୯୦ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପ୍ରାପ୍ତ କରିଥିଲା। ତାଙ୍କ ରଚିତ ଗଳ୍ପ ଭାରତର ବିଭିନ୍ନ ଭାଷାରେ ଅନୁଦିତ ହୋଇଥିବା ବେଳେ କେତେକ ଗଳ୍ପ ଉର୍ଦ୍ଦୁ, ନେପାଳୀ ଓ ଋଷ ଭାଷାରେ ମଧ୍ୟ ଅନୁଦିତ ହୋଇଛି। ୧୯୯୨ରେ ଗାଙ୍ଗଟକ୍‌ରେ ଅନୁଷ୍ଠିତ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମେଳନରେ ସେ ଓଡ଼ିଆ ଭାଷା ସାହିତ୍ୟର ପ୍ରତିନିଧିତ୍ୱ କରିଥିଲେ। ତାଙ୍କ ସାରସ୍ୱତ ସୃ‌ଷ୍ଟି ନବତରଙ୍ଗ, ସାୟାହ୍ନର ସ୍ବର, ମଧ୍ୟାନ୍ତର, ଶକୁନିର ଚକ, ଅଭିନେତ୍ରୀ ଆଦି ଗଳ୍ପ ପୁସ୍ତକ, ମନସ୍ୱିନୀ, କୁନ୍ତି କୁନ୍ତଳା ସକୁନ୍ତଳା ଭଳି ଉପନ୍ୟାସ, କବିତା ସଂକଳନ ଆସିବାର ବେଳ ଓ କ୍ରାନ୍ତି ଭଳି ଏକକ ଅଭିନୟ ପୁସ୍ତକ ସ୍ୱତନ୍ତ୍ର ପାଠକୀୟ ଆଦୃତି ଲାଭ କରିଛି।
ସାରସ୍ୱତ ସାଧନା ପାଇଁ ତାଙ୍କୁ ଉତ୍କଳ ସାହିତ୍ୟ ସମାଜ, ବିଦ୍ୟାଭାରତୀ, କଳିଙ୍ଗଭାରତୀ, ସାରଳା ସାହିତ୍ୟ ସଂସଦ, ଓଡ଼ିଆ ସାହିତ୍ୟ ସମାଜ, କେନ୍ଦ୍ର ସାହିତ୍ୟ ଏକାଡେମି ପକ୍ଷରୁ ସମ୍ମାନିତ କରାଯାଇଥିଲା। ଜୀବନବ୍ୟାପୀ ସାଧନା ପାଇଁ ୨୦୨୦ରେ ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ଭୂଷିତ କରିଥିଲେ। ୨୦୧୦ରେ ଶାରଳା ପୁରସ୍କାର ଏବଂ ୨୦୧୯ରେ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଲାଭ କରିଥିଲେ। ୧୯୬୦ରେ ଅର୍ଥନୀତି ଅଧ୍ୟାପିକା ଭାବେ କାର‌୍ୟ୍ୟ ଆରମ୍ଭ କରିଥିବା ବୀଣାପାଣି ମହାନ୍ତି ୧୯୯୨ରେ ଅବସର ନେଇଥିଲେ ।

Show More
Back to top button