

ସତ୍ୟଶିଖା(ଭୁବନେଶ୍ୱର) ୦୯ .୦୫.୨୦୨୧: ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ୧୮ରୁ ୪୪ବର୍ଷ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ କାର୍ଯ୍ୟକ୍ରମ ୫ଟି ମହାନଗର ନିଗମରେ ଆରମ୍ଭ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ୱରରେ ଟିକା ଦିଆଚାଲିଥିବାବେଳେ ବାକି ୪ଟି ମହାନଗର ନିଗମ କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ସରକାର ତୁରନ୍ତ ଆରମ୍ଭ କରିବାକୁ ଯାଉଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏନେଇ ସମସ୍ତ ଜିଲ୍ଲାପାଳ, ୫ଟି ମହାନଗର ନିଗମର କମିଶନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ସେ ଲେଖିଛନ୍ତି ଟିକା ଉତ୍ପାଦନକାରୀ କମ୍ପାନୀ ଏବେ କମ୍ ପରିମାଣରେ ଟିକା ଯୋଗାଣ କରୁଥିବାରୁ କେବଳ ୫ଟି ମହାନଗର ନିଗମ ଅଂଚଳରେ ୧୮ରୁ ୪୪ବର୍ଷ ବୟସର ବ୍ୟକ୍ତିଙ୍କ ଟିକାକରଣ ପାଇଁ ନିଷ୍ପତ୍ତି ନିଆଯାଇଛି। ଟିକା ଯୋଗାଣରେ ସୁଧାର ଆସିଲେ ଅନ୍ୟ ଜିଲ୍ଲାକୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ ବୋଲି ସେ କହିଛନ୍ତି।