ଏଣିକି ସପ୍ତାହକୁ ୩ ଦିନ ଟିକାଦାନ : ସୋମ, ଗୁରୁ ଏବଂ ଶନିବାର ଦିଆଯିବ ଟିକା


ସତ୍ୟଶିଖା (ଭୁବନେଶ୍ୱର) ୨୨/୦୧/୨୦୨୧ : ଏଣିକି ସପ୍ତାହକୁ ୩ ଦିନ ଟିକାଦାନ । ସୋମ, ଗୁରୁ ଏବଂ ଶନିବାର ହେବ ରାଜ୍ୟରେ ଟିକାଦାନ । ଦୈନିକ ଟିକାକରଣରେ ବିଭିନ୍ନ କେନ୍ଦ୍ରରେ ଡାକ୍ତର, ସ୍ଵାସ୍ଥକର୍ମୀ ନିୟୋଜିତ ହେବା ସହ ଟିକା ନେଉଥିବାରୁ ସ୍ଵାସ୍ଥସେବା ପ୍ରଭାବତି ହେଉଛି । ତେଣୁ ଏଣିକୁ ସପ୍ତାହକୁ ୩ ଦିନି ଟିକାଦାନ କରିବାକୁ କେନ୍ଦ୍ର ସ୍ଵାସ୍ଥମନ୍ତ୍ରାଳୟ ନିଷ୍ପତ୍ତି ନେଇଛି । ସପ୍ତାହରେ ସର୍ବାଧିକ ୪ ଦିନ ଏବଂ ସର୍ବନିମ୍ନ ୨ ଦିନ ଟିକାକରଣ କରାଯାଇ ପାରିବ । ଅନ୍ୟ ରାଜ୍ୟମାନଙ୍କ ପାଇଁ ମଧ୍ୟ ଭିନ୍ନ ଭିନ୍ନ ଦିନ ଧାର୍ଯ୍ୟ କରାଯାଇଛି ।
ଗୁରୁବାର ସୁଦ୍ଧା ରାଜ୍ୟରେ ୧ ଲକ୍ଷ ୧୧ ହଜାର ୯୫୩ ସ୍ଵାସ୍ଥ କର୍ମୀଙ୍କୁ ଟିକା ଦିଆଯାଇ ସାରିଲାଣି । ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୯୨ ହଜାର ସ୍ଵାସ୍ଥକର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ୨୫ ତାରିଖ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ କରାଯିବ ବୋଲି ସ୍ଵାସ୍ଥ ବିଭାଗ ପକ୍ଷରୁ କୁହାଯାଇଛି । ପଞ୍ଚମ ଦିନ ଅର୍ଥାତ୍ ଗୁରୁବାର ରାଜ୍ୟରେ ସର୍ବାଧିକ ୪୪ ହଜାର ୪୮୦ ଜଣ ସ୍ଵାସ୍ଥକର୍ମୀ ଟିକା ନେଇଛନ୍ତି । ସର୍ବାଧିକ ୧୨୧ ପ୍ରତିଶତ ଟିକାକରଣ ହୋଇଛି । ଗଂଜାମରେ ୧୩୩୫ ସ୍ଵାସ୍ଥକର୍ମୀଙ୍କୁ ଟିକା ଦେବାକୁ ପ୍ରସ୍ତୁତି ହୋଇଥିବା ବେଳେ କର୍ମୀଙ୍କ ଉତ୍ସାହକୁ ଦେଖି ୩ ହଜାର ୭ ଶହ ୪୭ ଜଣ ଟିକା ନେଇଛନ୍ତି ।
ଶୁକ୍ରବାର ୧୩୭ଟି କେନ୍ଦ୍ରରେ ଟିକାଦାନ କରାଯାଉଛି । ୮ଟି ଜିଲ୍ଲା ଏବଂ ଭୁବେନଶ୍ୱରରେ ଟିକାକରଣ ବନ୍ଦ ରହିବ । ଶୁକ୍ରବାର ୧୧ ହଜାର ୮୫୫ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି ।