

ସତ୍ୟଶିଖା(ଭୁବନେଶ୍ୱର) ୨୫.୦୫.୨୦୨୧: ସମ୍ଭାବ୍ୟ ବାତ୍ୟା ‘ୟସ୍’ର ମୁକାବିଲା ପାଇଁ ତତ୍ପର ହୋଇଛି ସ୍ୱାସ୍ଥ୍ୟ ବିଭାଗ । କରୋନା ସମୟରେ ବାତ୍ୟାର ମୁକାବିଲା ଏବେ ସରକାରଙ୍କ ପାଇଁ ଡବଲ୍ ଟେନସନ୍ ବଢାଇ ଦେଇଛି । ବାତ୍ୟାରେ ସବୁଠୁ ବେଶି ପ୍ରଭାବିତ ହେବା ଆଶଙ୍କା କରାଯାଉଥିବା ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ୨୯ ଡାକ୍ତରଙ୍କୁ ପଠାଇଛି ସ୍ୱାସ୍ଥ୍ୟ ବିଭାଗ । ଭଦ୍ରକ, ବାଲେଶ୍ୱର ସହ ମୟୂରଭଞ୍ଜରେ ଟିକାକରଣ ବନ୍ଦ ରଖିବା ସହ ବାତ୍ୟା ପରବର୍ତ୍ତୀ ସମୟରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ବିଦ୍ୟୁତ କର୍ମଚାରୀଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଇବାକୁ ମଧ୍ୟ ପଦକ୍ଷେପ ନେଉଛି ସ୍ୱାସ୍ଥ୍ୟ ବିଭାଗ ।
ସ୍ୱାସ୍ଥ୍ୟ ବିଭାଗ ଏଥିପାଇଁ ୩ଟି ଭିନ୍ନ ଭିନ୍ନ ନିର୍ଦ୍ଦେଶନାମା ଜାରି କରିଛି । ପ୍ରଥମ ନିର୍ଦ୍ଦେଶନାମାରେ ବାଲେଶ୍ୱର ଓ ଭଦ୍ରକକୁ ଡାକ୍ତର ପଠାଯାଇଛି । ଜରୁରିକାଳୀନ ଭିତ୍ତିରେ ୨୦ ଶିକ୍ଷାନବୀସ ଡାକ୍ତରଙ୍କୁ ଏସ୍ସିବିରୁ ଡେପୁଟେସନ୍ରେ ମୁତୟନ କରାଯାଇଛି । ୧୦ ଶିକ୍ଷାନବୀସ ଡାକ୍ତର ଛାତ୍ର ବାଲେଶ୍ୱର ଯିବାକୁ ଥିବାବେଳେ ୧୦ ଜଣ ଭଦ୍ରକ ଯିବେ । ସେହିଭଳି ମେଡିସିନ୍ ଓ ନିଶ୍ଚେତକ ବିଭାଗର ୯ ଡାକ୍ତରଙ୍କୁ ବାଲେଶ୍ୱର ଓ ଭଦ୍ରକକୁ ପଠାଯାଇଛି । ତୁରନ୍ତ ଏହି ଡାକ୍ତରମାନେ ଡେପୁଟେସନ୍ରେ ପଠାଯାଉଥିବା ଜିଲ୍ଲା ଗସ୍ତ କରିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି ।
ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ୟାସ୍ ପାଇଁ ଟିକାକରଣ ବନ୍ଦ ରହିବ । ୨୫ରୁ ୨୭ ତାରିଖ ଯାଏ ଏ ସବୁ ଜିଲ୍ଲାରେ ଟିକାଦାନ ବନ୍ଦ ରହିବା ସହ ଘରକୁ ଘର ବୁଲି ହେବାକୁ ଥିବା କୋଭିଡ୍ ୧୯ ସର୍ଭେ କାମ ବନ୍ଦ ରହିବ । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ।
ବାତ୍ୟାରେ ସବୁଠୁ ବେଶି କ୍ଷୟକ୍ଷତି ବିଜୁଳି ବିଭାଗର ହେବ । ପବନର ବେଗ ବହୁତ ଅଧିକ ରହିବାର ଆଶଙ୍କା ଥିବାରୁ ବିଜୁଳି ଟାୱାର ଖୁଣ୍ଟ ଭାଙ୍ଗିବ । ବାତ୍ୟା ପରେ ଏ ସବୁର ମରାମତି ପାଇଁ ଟିପିସିଓଡିଏଲ ଓ ଟିପିଏନ୍ଓଡିଏଲ୍ର ୧୦ରୁ ୧୨ ହଜାର କର୍ମଚାରୀ ନିୟୋଜିତ ହେବେ । ଏହି କର୍ମଚାରୀଙ୍କ ମଧ୍ୟରେ କରୋନା ବ୍ୟାପିବାର ସମ୍ଭାବନା ରହିଛି । ତେଣୁ ବିଜୁଳି ମରାମତି କାମରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କ ଆଣ୍ଟିଜେନ୍ କୋଭିଡ୍ ଟେଷ୍ଟ କରାଇବାକୁ ସ୍ୱାସ୍ଥ୍ୟ ସଚିବ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।