ବରିଷ୍ଠଙ୍କୁ ଟିକାକରଣ : ଦିନକରେ ନେଲେ ୧୧,୨୮୯

ସତ୍ୟଶିଖା(ଭୁବନେଶ୍ୱର )୦୨.୦୩.୨୦୨୧: ଦେଶବ୍ୟାପୀ ୬୦ ବର୍ଷରୁ ଅଧିକ ଓ ଅନ୍ୟାନ୍ୟ ଜଟିଳ ରୋଗଥିବା ୪୫ ବର୍ଷରୁ ୬୦ ବର୍ଷ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ଆରମ୍ଭ ହୋଇଛି ଦ୍ଵିତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନ। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟମନ୍ତ୍ରୀ, ବିଧାୟକ ଓ ୬୦ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିବିଶେଷ କରୋନା ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ଟିକାକରଣ କାର୍ଯ୍ୟକ୍ରମକୁ ସଫଳ କରିବା ଓ ସମସ୍ତେ ଟିକାନେଇ କରୋନା ମୂଳୋତ୍ପାଟନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଦେଶରେ ଦ୍ଵିତୀୟ ପର୍ଯ୍ୟାୟରେ ୧୦ କୋଟିରୁ ଅଧିକ ଲୋକଙ୍କୁ ଟିକାକରଣ କରାଯିବା ଲକ୍ଷ୍ୟ ରହିଛି।
ଏହି ମର୍ମରେ ଓଡ଼ିଶାରେ ମଧ୍ୟ ସୋମବାରଠାରୁ ଆରମ୍ଭ ହୋଇଥିବା ବରିଷ୍ଠ ନାଗରିକଙ୍କ ଟିକାକରଣ କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହ ଚାଲିଛି। ପ୍ରଥମ ଦିନରେ ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ୧୧ ହଜାର ୨୮୯ ଜଣ ବରିଷ୍ଠ ନାଗରିକ କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକା ନେଇ ରାଜ୍ୟବାସୀଙ୍କୁ ଉତ୍ସାହିତ କରିଛନ୍ତି। ସେହିପରି ବିଭିନ୍ନ ରୋଗଥିବା ୪୫ରୁ ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ଆଜି ୩୦୦ ଜଣ ଟିକା ନେଇଛନ୍ତି। ଆଗାମୀ ଦିନରେ ଟିକାକରଣ ଅଭିଯାନ କୁ ଅଧିକ ତ୍ୱରାନ୍ୱିତ କରିବା ସହ ଟିକାଦାନ କିଭଳି ଶୃଙ୍ଖଳିତ ହେବ ସେନେଇ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି।
ସୋମବାର ଏ ସଂକ୍ରାନ୍ତରେ ବିଭାଗୀୟ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲାପାଳ ଓ ମହାନଗର କମିସନରଙ୍କୁ ଏକ ନିର୍ଦେଶନାମା ଜାରି କରିଛନ୍ତି।

Exit mobile version