ସତ୍ୟଶିଖା ୧୩/୦୧/୨୦୨୧ : କରୋନା ସଂକ୍ରମଣ ବ୍ୟାପି ଚାଲିଥିବାବେଳେ ହିଁ ସାଇବର ଠକମାନେ ଅଧିକ ସକ୍ରିୟ ହୋଇ ଉଠିଥିଲେ । ମଦ ହୋମ୍ ଡେଲିଭରି, ରେସ୍ତୋରାଁର ଲୋଭନୀୟ ଅଫର, ଘରେ ବସି କୋରିଅର ସେବା, ଅନଲାଇନ୍ କାରବାର ନାଁରେ ସାଇବର ଠକମାନେ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିଲେ । ଏବେ ସେମାନଙ୍କ ପାଇଁ ସେମିତି ଏକ ସୁଯୋଗ ଆସିଛି । କରୋନା ଟିକା ନାଁରେ ସାଇବର ଠକମାନେ ଠକେଇ କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି । ତେଣୁ କମିସନରେଟ୍ ପୁଲିସ ପକ୍ଷରୁ ଲୋକଙ୍କୁ ସତର୍କ କରାଇ ଦିଆଯାଇଛି ।
ଡିସିପି ଉମାଶଙ୍କର ଦାଶଙ୍କ ସୂଚନାନୁସାରେ ସାଇବର ଠକମାନେ ଲୋକଙ୍କ ପାଖକୁ ଫୋନ୍ କରିବେ । ଟିକା ପାଇଁ ରେଜିଷ୍ଟ୍ରେସନ କରାଇବାକୁ କହି ଆଧାର କାର୍ଡ, ଇ-ମେଲ୍ ଆଇଡି, ଜନ୍ମ ତାରିଖ ଭଳି ତଥ୍ୟ ମାଗି ପାରନ୍ତି । ଏହି ତଥ୍ୟ ପାଇବା ପରେ ମୋବାଇଲ୍ ଫୋନକୁ ଯେଉଁ ଓଟିପି ଯିବ ତାହାକୁ ଦେବା ପାଇଁ ଠକ କହିପାରେ । ବ୍ୟାଙ୍କ୍ ଆକାଉଣ୍ଟ ସହ ଆଧାର କାର୍ଡର ସଂଯୋଗ ଥିବାରୁ ଓଟିପି ପାଇଲା ପରେ ଠକ ଅନଲାଇନ୍ ଟ୍ରାଞ୍ଜାକସନ୍ କରିବାର ସମ୍ଭାବନା ରହିଛି । ତେଣୁ ଯଦି ଏଭଳି ଫୋନ୍ କଲ୍ ଆସେ, ତା’ହେଲେ କିଛି ତଥ୍ୟ ନ ଦେବା ପାଇଁ ଲୋକଙ୍କୁ ଡିସିପି ଶ୍ରୀ ଦାଶ କହିଛନ୍ତି ।
