

ସତ୍ୟଶିଖା(ନୂଆଦିଲ୍ଲୀ) ୧୦.୦୭.୨୦୨୧: ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଦେଶରେ ୧୨ ବର୍ଷରୁ ଊର୍ଦ୍ଧ୍ୱ ବୟସର ଶିଶୁଙ୍କ ଟିକାକରଣ ଆରମ୍ଭ ହେବ । ଟିକା ବିଶେଷଜ୍ଞ କମିଟି ମୁଖ୍ୟ ଏନକେ ଆରୋରା ଏହା କହିଛନ୍ତି । ଦେଶରେ ଏବେ କେବଳ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକା ଦିଆଯାଉଛି । କିନ୍ତୁ ସେପ୍ଟ୍ଟେମ୍ବର ଆରମ୍ଭରୁ ୧୨ ବର୍ଷରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ଟିକାକରଣ ଆରମ୍ଭ ହେବ । ଆସନ୍ତା କିଛି ସପ୍ତାହ ମଧ୍ୟରେ ଜାଇଡସ ଟିକା ‘ଜାଇଭକ-ଡି’ର ଏମର୍ଜେନ୍ସି ବ୍ୟବହାର ପାଇଁ ସ୍ୱୀକୃତି ମିଳିବ । ଯଦି ଡିସିଜିଆଇ ଅନୁମତି ମିଳେ ତେବେ ବିଶ୍ୱର ଏହା ପ୍ରଥମ ଡିଏନଏ ଟିକା ହେବ । ଏହି ଟିକା ଛୁଞ୍ଚି ବିହୀନ ଏବଂ ଏହା ଶିଶୁଙ୍କ ପାଇଁ ଅତି ସୁରକ୍ଷିତ । ଜେନେଟିକ କୋଡ ଡିଅକ୍ସିରିପୋନୁ୍ୟକ୍ଲିକ ଏସିଡ କିମ୍ବା ରିପୋନୁ୍ୟକ୍ଲିକ ଏସିଡର କିଛି ଅଂଶ ଏହାର ପ୍ରସ୍ତୁତିରେ ବ୍ୟବହାର ହୋଇଛି । ୧୨-୧୮ ବର୍ଷ ମଧ୍ୟରେ ଏହି ଟିକାର ପରୀକ୍ଷଣ ତଥ୍ୟ ମଧ୍ୟ କିଛି ମାସ ମଧ୍ୟରେ ମିଳିଯିବ । ଆରୋରା କହିଛନ୍ତି, ସେପ୍ଟେମ୍ବର ଶେଷ ସୁଦ୍ଧା ଟିକା ଉପଲବ୍ଧ ହୋଇଯିବ ।
ଅନ୍ୟପକ୍ଷେ ଦେଶରେ ସମସ୍ତ ବୟସ୍କ ଜନସଂଖ୍ୟା ଡିସେମ୍ବର ଶେଷ ସୁଦ୍ଧା ଟିକା ନେଇପାରିବେ ବୋଲି ଡାକ୍ତର ଏନକେ ଆରୋରା କହିଛନ୍ତି । ସରକାର ଏହି ଟାର୍ଗେଟ ହାସଲ କରିପାରିବେ ବୋଲି ସେ ଦୃଢେ଼ାକ୍ତି ବାଢ଼ିଛନ୍ତି । ଜୁନ ଏବଂ ଜୁଲାଇରେ ଦେଶରେ ଟିକାକରଣ ବୃଦ୍ଧି ହୋଇଛି । ମେ’ ସୁଦ୍ଧା ଦେଶକୁ ୫.୬ କୋଟି ଟିକା ମିଳିଥିଲା । ଏବେ ୧୦ରୁ ୧୨ କୋଟି ଟିକା ମିଳୁଛି ଏବଂ ଆସନ୍ତାମାସରେ ଏହା ପ୍ରାୟ ୧୬ରୁ ୧୮ କୋଟି ପହଞ୍ଚିବ । ସେପ୍ଟେମ୍ବରରେ ୩୦ କୋଟିରୁ ଅଧିକ ଡୋଜ ଥିବ ବୋଲି ସେ କହିଛନ୍ତି ।