ସତ୍ୟଶିଖା (ନୂଆଦିଲ୍ଲୀ) ୧୬/୦୧/୨୦୨୧ : ଆଜିଠୁ ଦେଶବ୍ୟାପୀ କରୋନା ଟିକାକରଣ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଟିକାକରଣ ପ୍ରକ୍ରିୟାକୁ ସକାଳ ୧୦ଟା ୩୦ ମିନିଟ୍ରେ ଭିଡିଓ କନଫରେନ୍ସି ମାଧ୍ୟମରେ ଶୁଭାରମ୍ଭ କରିବେ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଶୁକ୍ରବାର କେନ୍ଦ୍ର ସ୍ଵାସ୍ଥମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ନିର୍ମାଣ ଭବନସ୍ଥିତ କୋଭିଡ ନିୟନ୍ତ୍ରଣ କକ୍ଷରେ ଦେଶବ୍ୟାପୀ ଟିକାକରଣ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।
ଏହି ଅବସରରେ ସ୍ଵାସ୍ଥମନ୍ତ୍ରୀ କହିଛନ୍ତି ଯେ ଏହା ବିଶ୍ବର ସବୁଠାରୁ ବଡ଼ ଟିକାକରଣ ପ୍ରକ୍ରିୟା । ଏହାଦ୍ବାରା କରୋନା ଭୂତାଣୁର ବିନାଶ ପ୍ରକ୍ରିୟା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ଵାସ୍ଥ ସେବା କର୍ମଚାରୀ (ଉଭୟ ସରକାରୀ ଓ ଘରୋଇ)ଙ୍କୁ ଟିକା ଦିଆଯିବ । ଏହି ଟିକାକରଣ ନିମନ୍ତେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସେମାନଙ୍କ ସ୍ଵାସ୍ଥ କର୍ମଚାରୀଙ୍କ ସଂଖ୍ୟା ଆଧାରରେ ଟିକା ଯୋଗାଇ ଦିଆଯାଇଛି । ଏଥିପାଇଁ ମୋଟ ୧.୬୫ କୋଟି ଡୋଜ୍ ଟିକା ପଠାଯାଇଛି । କେନ୍ଦ୍ର ସ୍ଵାସ୍ଥ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ମନୋହର ଅଗନାନୀଙ୍କ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସ୍ଵାସ୍ଥ ବିଭାଗକୁ ଦିଆଯାଇଥିବା ନିର୍ଦେଶ ଅନୁଯାୟୀ ୧୮ବର୍ଷ କିମ୍ବା ତଦୂର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଏହି ଟିକା ଦିଆଯିବ । ଶିଶୁଙ୍କୁ ସ୍ତନ୍ୟପାନ କରାଉଥିବା ଓ ଗର୍ଭବତୀ, ଅସୁସ୍ଥ ବ୍ୟକ୍ତି ଟିକା ନେବେନାହିଁ । ଏହି ଟିକାକୁ ଜଣଙ୍କ ପରିବର୍ତ୍ତେ ଅନ୍ୟ ଜଣଙ୍କୁ ଦିଆଯାଇପାରିବ ନାହିଁ । ପ୍ରଥମ ଡୋଜ୍ରେ ଯେଉଁ କମ୍ପାନୀର ଟିକା ଦିଆଯାଇଥିବା ଦ୍ବିତୀୟ ଡୋଜ୍ରେ ସେହି କମ୍ପାନୀର ଟିକା ଦିଆଯିବ ।