ନ୍ୟୁଜ୍ରାଜ୍ୟ

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସ

ସତ୍ୟଶିଖା (ଭୁବନେଶ୍ୱର) ୦୪/୦୧/୨୦୨୧ : ୧୯୯୯ରେ ପ୍ରତିଷ୍ଠା ହୋଇଥିବା ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ୨୨ ବର୍ଷରେ ପଦାର୍ପଣ କରିଛି । ଦେଶର ପ୍ରଥମ ସଂସ୍କୃତି ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଥିବା ଏହି ଶିକ୍ଷାନୁଷ୍ଠାନର ବିକାଶ ମନ୍ଥର ଗତିରେ ଚାଲିଛି । ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଅଧାରେ ରହିଛି । ୟୁଜିସି ୧୨(ବି)ରେ ସାମିଲ ହୋଇପାରୁ ନାହିଁ, ଯାହାକି ଏବେ ସ୍ବପ୍ନ ପାଲଟିଛି। କୋଭିଡ୍‌-୧୯ ପାଇଁ ପାଠପଢ଼ା ପ୍ରଭାବିତ ହୋଇଥିବା ବେଳେ ଏବେ ବିଶ୍ୱବିଦ୍ୟାଳୟର ବିକାଶଧାରାକୁ ଆଗକୁ ନେବା ପାଇଁ କର୍ତୃପକ୍ଷ ସ୍ଵପ୍ନ ଦେଖାଇଛନ୍ତି । ଏଥିସହ ନିର୍ମାଣାଧୀନ ୩ଟି ଏକାଡେମିକ୍‌ ବିଲ୍‌ଡିଂ ୨୦୨୧ରେ ଉଦ୍‌ଘାଟନ କରିବାକୁ ନିଷ୍ପତ୍ତି ନିଆଯାଇଛି ।ଭୁବନେଶ୍ୱର ଉପକଣ୍ଠ ମଦନପୁରଠାରେ ଥିବା ବିଶ୍ୱବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସରେ ୩ ବର୍ଷ ହେଲା ନିର୍ମାଣ ଚାଲିଥିବା ୩ଟି ବିଲ୍‌ଡିଂ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗତ ମାର୍ଚ୍ଚ ମାସରେ କରୋନା ସଂକ୍ରମଣ ବଢ଼ିବାରୁ ବିଶ୍ୱବିଦ୍ୟାଳୟ ବନ୍ଦ ହେବା ସହ ବିଲ୍‌ଡିଂ ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଥିଲା । ୨୦୨୧ ପ୍ରତିଷ୍ଠା ଦିବସରେ ଏହାକୁ ଉଦ୍‌ଘାଟନ କରିବାକୁ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ତାହା ସମ୍ଭବପର ହୋଇପାରି ନାହିଁ । ଏବେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସୁଥିବାରୁ ବିଲ୍‌ଡିଂ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ଫେବ୍ରୁଆରି ମାସ ଶେଷ ‌ସୁଦ୍ଧା ୩ଟି ଯାକ ବିଲ୍‌ଡିଂର ନିର୍ମାଣ କାର୍ଯ୍ୟ ଶେଷ ହେବ । ନିର୍ମାଣକାରୀ ସଂସ୍ଥା ଏହାକୁ ହସ୍ତାନ୍ତର କରିବା ପରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏଠାରେ ଚାଲିବ ବୋଲି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ କହିଛନ୍ତି ।

ଅନ୍ୟପକ୍ଷରେ ୨୦୨୧-୨୨ରୁ ଓଡ଼ିଶାର କଳା, ସ୍ଥାପତ୍ୟ, ସାହିତ୍ୟ ଓ ସଂସ୍କୃତି ସହ ଯୋଡ଼ି ରହିଥିବା ନୂତନ ପିଜି ବିଭାଗ ଖୋଲିବାକୁ ଯୋଜନା ରଖାଯାଇଛି । ତେବେ ଜାନୁଆରି ୧୩ରେ ବସିବାକୁ ଥିବା ଏକାଡେମିକ କାଉନସିଲ୍‌ ବୈଠକରେ ଏନେଇ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରାଯିବ । ପ୍ରସ୍ତାବରେ ରହିଥିବା କିଛି ବିଭାଗକୁ ବୈଠକରେ ଅନୁମତି ମିଳିବା ପରେ ତାହା ଖୋଲିବ । କ୍ୟାମ୍ପସ ପରିସରରେ ପ୍ରେକ୍ଷାଳୟ ନିର୍ମାଣ, ଆମ୍ଫି ଥିଏଟର ପ୍ରତିଷ୍ଠା, ବିଶ୍ୱବିଦ୍ୟାଳୟକୁ ବିଦେଶୀ ଛାତ୍ରଛାତ୍ରୀଙ୍କ ପରିଦର୍ଶନ, ଗବେଷଣା ଓ ଅଧ୍ୟୟନ ଲାଗି ସ୍ଵଳ୍ପକାଳୀନ ପାଠ୍ୟକ୍ରମ ତଥା ସ୍ଵତନ୍ତ୍ର ବିଭାଗ ଖୋଲିବାକୁ ‌ହୋଇଥିବା ଯୋଜନା‌ ଅଟକି ରହିଛି ।ଉନ୍ମୋଚନ ହେବ ଆର୍ଟ କ୍ୟାଟଲଗ୍‌
ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଆର୍ଟ କ୍ୟାଟଲଗ୍‌ ଓ ନ୍ୟୁଜ୍‌ ଲେଟର ପ୍ରତିଷ୍ଠା ଦିବସରେ ଉନ୍ମୋଚିତ ହେବ । ପୂର୍ବାହ୍ନ ୧୧ଟାରେ ‌ହେବାକୁ ଥିବା ସ୍ଵତନ୍ତ୍ର ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେବେ । କୁଳପତି ପ୍ରଫେସର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ସଂସ୍କୃତି ବିଭାଗ ଶାସନ ସଚିବ ବିଷ୍ଣୁପଦ ସେଠୀ, ନିର୍ଦେଶକ ରଞ୍ଜନ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେବେ ବୋଲି କୁଳସଚିବ ଅନନ୍ତ ବିଜୟ ପଟ୍ଟନାୟକ କହିଛନ୍ତି ।

Show More
Back to top button