ଅପରାଧନ୍ୟୁଜ୍ରାଜ୍ୟ

ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ

ସତ୍ୟଶିଖା( ଭୁବନେଶ୍ୱର )୦୧.୦୪.୨୦୨୨ : ବାଣପୁର : ବାଣପୁର ସହକାରୀ ଦୌରାଜଜ୍ ମନୋରଞ୍ଜନ ମିଶ୍ର ଗୁରୁବାର ଦିନ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦ‌େବଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି।  ଗତ ୨୨ ତାରିଖରେ ବାଣପୁର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ଜାମିନ ଆବେଦନ ଖାରଜ ହେବାପରେ ବିଧାୟକ ଶ୍ରୀ ଜଗଦ୍ଦେବ ବର୍ତ୍ତମାନ ବାଣପୁର ଉପକାରାଗାରରେ ବିଚାରାଧୀନ ବନ୍ଦୀ ଭାବରେ ରହିଛନ୍ତି। ବିଧାୟକଙ୍କ ଓକିଲ ୨୮ ତାରିଖରେ ପୁଣି ବାଣପୁର ସହକାରୀ ଦୌରାଜଜ୍‌ଙ୍କ ଅଦାଲତରେ ଜାମିନ ଆବେଦନ କରିଥିଲେ। ଶୁଣାଣି ପାଇଁ ଗୁରୁବାରକୁ ଦିନଧାର୍ଯ୍ୟ କରାଯାଇଥିଲା। ଶୁଣାଣି ସମୟରେ ଉଭୟ ବିଧାୟକଙ୍କ ଓକିଲ ଏବଂ ସରକାରୀ ଓକିଲ ନିଜ ନିଜ ପକ୍ଷର ଯୁକ୍ତି ରଖିଥିଲେ। ରାଜନୈତିକ ଶତ୍ରୁତାକୁ ନେଇ ବିରୋଧୀ ପକ୍ଷ ଏପରି ଷଡ଼୍‌ଯନ୍ତ୍ର ରଚିଥିବା ସହ ବିଧାୟକଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ କରାଯାଇଥିଲା ବୋଲି ଯୁକ୍ତି ଉପସ୍ଥାପନା କରିଥିଲେ। ଏଥିସହିତ ବିଧାୟକଙ୍କ ବହୁମୁଖୀ ସ୍ବାସ୍ଥ୍ୟ ସମସ୍ୟା ରହିଥିବାବେଳେ ତାଙ୍କ ଶରୀରରେ ପେସ୍‌ ମେକର ଲଗାଯିବା ଏକାନ୍ତ ଅପରିହାର୍ଯ୍ୟ ହୋଇଥିବାରୁ ତାଙ୍କୁ ଜାମିନ ଦେବା ପାଇଁ ବରିଷ୍ଠ ଓକିଲ ଅରୂପ ଚାନ୍ଦ ଯୁକ୍ତି ବାଢିଥିଲେ। ତେବେ ପୁଲିସ ନିର୍ଦ୍ଦ‌େଶକୁ ଅବମାନନା କରି ବିଧାୟକ ଜୋରଜବରଦସ୍ତ ଭିଡ଼ ମଧ୍ୟକୁ ଗାଡି ଚଳାଇ ନେଇଥିଲେ। ଫଳରେ ପୁଲିସ ଅଧିକାରୀଙ୍କ ସମେତ ବହୁ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିବା ସରକାରୀ ଓକିଲ ଯୁକ୍ତି ବାଢିଥିଲେ। ଅନ୍ୟପକ୍ଷରେ ଘଟଣାଦିନ ଗୁରୁତର ଭାବେ ଆହତ ହୋଇଥିବା ସୁକାନ୍ତି ପଲେଇ ପ୍ରଶାସନ ତରଫରୁ ପକ୍ଷଭୁକ୍ତ ହେବାପାଇଁ ଓକିଲଙ୍କ ମାଧ୍ୟମରେ ଆବେଦନ କରିଥିଲେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସହକାରୀ ଦୌରାଜଜ୍‌ ଶ୍ରୀ ମିଶ୍ର ଚିଲିକା ବିଧାୟକଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ତେବେ ବିଧାୟକଙ୍କ ଜାମିନ ପାଇଁ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବେ ବୋଲି ବିଧାୟକଙ୍କ ସମର୍ଥକମାନେ ସୂଚନା ଦେଇଛନ୍ତି।

Show More
Back to top button