କରୋନା ପାଇଁ ଘୁଞ୍ଚିବନି ୟୁପିଏସସି ପ୍ରିଲିମ ପରୀକ୍ଷା, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ l

ସତ୍ୟଶିଖା (ନୂଆଦିଲ୍ଲୀ) ୩୦/୦୯/୨୦୨୦ : ସୁପ୍ରିମକୋର୍ଟ ୟୁପିଏସସି ପ୍ରିଲିମ୍ ପରୀକ୍ଷା ଘୁଞ୍ଚାଇବା ପାଇଁ ଦାଖଲ ଯାଚିକାକୁ ଖାରଜ କରିଛନ୍ତି । ଏହା ପରେ ପରୀକ୍ଷା ଆୟୋଜନ ପାଇଁ ପଥ ପରିଷ୍କାର ହୋଇଛି । ଏଥିସହ କୋର୍ଟ ଆବେଦନକାରୀଙ୍କୁ ବିନମ୍ର ରହିବାକୁ ଉପଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ପରୀକ୍ଷା କରାଇବା ୟୁପିଏସସିର ଦାୟିତ୍ଵ। ୟୁପିଏସସି ସବୁ ପ୍ରକାରର ବ୍ୟବସ୍ଥା କରିବ ।
ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଛି କରୋନା ଭାଇରସ୍ ମହାମାରୀ କାରଣରୁ ଦେଶରେ ସଙ୍କଟଜନକ ଏବଂ ଅପ୍ରତ୍ୟାଶିତ ସ୍ଥିତି ଉତ୍ପନ ହୋଇଛି । ଏହି କାରଣରୁ ପରୀକ୍ଷା ଘୁଞ୍ଚାଇବା ଉଚିତ୍ । କୋର୍ଟ କହିଛନ୍ତି ୟୁପିଏସସି ରାଜ୍ୟ ପ୍ରଶାସନଙ୍କୁ ପରୀକ୍ଷାର୍ଥୀଙ୍କ ପାଇଁ ପରିବହନ ବ୍ୟବସ୍ଥା କରିବାକୁ କହିଛି । ୟୁପିଏସସି ନିଜ ଯୁକ୍ତିରେ କହିଛି ପରୀକ୍ଷା ଆୟୋଜିତ କରିବା ଲାଗି ହୋଇଥିବା ବ୍ୟବସ୍ଥାରେ ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଛି । ଯଦି ପରୀକ୍ଷା ଘୁଞ୍ଚାଯାଏ ତେବେ ୟୁପିଏସସିର ବହୁତ କ୍ଷତି ହେବ । କୋର୍ଟ ଆବେଦନକାରୀଙ୍କ ଓକିଲଙ୍କୁ କହିଛନ୍ତି ପରୀକ୍ଷା ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଉଛି । ଯଦି ସୁରକ୍ଷାକୁ ନେଇ କିଛି ପ୍ରଶ୍ନ ରହିଛି ତାହା ଉପରେ ଯୁକ୍ତି ବାଢନ୍ତୁ କିନ୍ତୁ ପରୀକ୍ଷା ଘୁଞ୍ଚାଯାଇ ପାରିବ ନାହିଁ ।ଉଲ୍ଲେଖଯୋଗ୍ୟ, କରୋନା ଭାଇରସ୍ ମହାମାରୀ କାରଣରୁ ସିଭିଲ ସର୍ଭିସ ପରୀକ୍ଷା ଘୁଞ୍ଚାଇବା ପାଇଁ କୋର୍ଟରେ ଯାଚିକା ଦାଖଲ କରାଯାଇଥିଲା । ଏହା ଉପରେ କୋର୍ଟ ଶୁଣାଣି କରି ଆବେଦନକୁ ଖାରଜ କରିଛନ୍ତି । ଏହା ପୂର୍ବରୁ ଏହି ମାମଲାରେ ସେପ୍ଟେମ୍ବର ୨୮ରେ ଶୁଣାଣି ହୋଇଥିଲା । ସେହି ଦିନ କୋର୍ଟ ୟୁପିଏସସିକୁ ସତ୍ୟପାଠ ଦାଖଲ କରିବାକୁ କହିଥିଲା । ସେହି ଦିନ ଆୟୋଗ କହିଥିଲେ ଯେ ପରୀକ୍ଷା ଘୁଞ୍ଚାଇବା ଅସମ୍ଭବ । ପ୍ରଥମେ ପରୀକ୍ଷା ମେ ୩୧ରେ ହେବାର ଥିଲା ।