ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନାର ରାମାୟଣ ସର୍କିଟ୍ ଅଧୀନରେ ମହେନ୍ଦ୍ରଗିରିର ବିକାଶ ପାଇଁ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରଣାଳୟକୁ ସହଯୋଗ କରିବା ସହ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗକୁ ଏଥିପାଇଁ ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦେବା ପାଇଁ ପତ୍ର ଲେଖି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଭାରତ ସରକାରଙ୍କ ଏହି ବିଭାଗୀୟ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବରୁ ସ୍ୱଦେଶ ଦର୍ଶନ ଯୋଜନାରେ ରାମାୟଣ ସର୍କିଟ ଅଧୀନରେ ମହେନ୍ଦ୍ରଗିରିର ବିକାଶ ପାଇଁ ପ୍ରସ୍ତାବ ଦେବା ପାଇଁ ଓଡିଶା ସରକାରଙ୍କୁ ଅନୁରୋଧ କରାଯାଇଥିଲା । ମାତ୍ର ରାଜ୍ୟ ସରକାର ଏପର୍ଯ୍ୟନ୍ତ ବିଭାଗୀୟ ମନ୍ତ୍ରଣାଳୟକୁ ଏହି ପ୍ରସ୍ତାବ ପଠାଇନଥିବା ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି । ଭାରତ ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରଣାଳୟ ସ୍ୱଦେଶ ଦର୍ଶନ ଯୋଜନାରେ ପର୍ଯ୍ୟଟନ ସୁବିଧାକୁ ବିକଶିତ କରିବା ପାଇଁ ଓଡିଶାର ବିଭିନ୍ନ ସ୍ଥାନକୁ ଚିହ୍ନଟ କରିଛି ।
ଓଡ଼ିଶାରେ ଥିବା ପର୍ଯ୍ୟଟନସ୍ଥଳୀ ଯଥା ରାମାୟଣ ସର୍କିଟ ଅଧିନରେ ମହେନ୍ଦ୍ରଗିରି, କ୍ରୀଷ୍ଣା ସର୍କିଟ ଅଧିନରେ ପୁରୀ ଏବଂ ଉପକୂଳ ସର୍କିଟ ଅଧୀନରେ ଗୋପାଳପୁର, ବରକୁଳ, ସାତପଡ଼ା ଓ ଟମ୍ପପଡା ଭଳି ସ୍ଥାନକୁ ଚିହ୍ନଟ କାରାଯାଇଛି । ୨୦୧୬-୧୭ ଆର୍ଥିକ ବର୍ଷରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରଣାଳୟ ସ୍ୱଦେଶ ଦର୍ଶନ ଯୋଜନାରେ ଉପକୂଳ ସର୍କିଟ ଅଧୀନରେ ଗୋପାଳପୁର, ବରକୁଳ, ସାତପଡ଼ା ଓ ଟମ୍ପପଡାର ବିକାଶ ପାଇଁ ୭୦.୮୨ କୋଟି ଟଙ୍କା ମଞ୍ଜୁର କରିଥିଲା । ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ମହେନ୍ଦ୍ରଗିରି ପୂର୍ବଘାଟରେ ଅବସ୍ଥିତ ଏବଂ ଏହା ମହେନ୍ଦ୍ରଗିରି ପର୍ବତ ଭାବରେ ରାମାୟଣର କଥାବସ୍ତୁ ସହ ଜଡିତ ।