୪୦ ଲକ୍ଷ ଶ୍ରମିକ ପାଇବେ ବେକାରି ଭତ୍ତା : ବିଜ୍ଞପ୍ତି ଜାରି କଲେ ସରକାର l


ସତ୍ୟଶିଖା ୧୩ .୦୯.୨୦୨୦ : କରୋନା ମହାମାରୀ ପ୍ରଭାବରେ ଚାକିରି ହରାଇଥିବା ଶିଳ୍ପ କ୍ଷେତ୍ରର ଶ୍ରମିକମାନଙ୍କୁ ମିଳିବ ବେକାରି ଭତ୍ତା । କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍ଆଇସି) ଜରିଆରେ ଏହାର ସଦସ୍ୟମାନଙ୍କୁ ଏହି ସୁବିଧା ଦିଆଯିବ । ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନାର ଅଂଶ ଭାବେ ବେକାର ହୋଇପଡ଼ିଥିବା ଶ୍ରମିକଙ୍କୁ ଭତ୍ତା ମିଳିବ । ଏହାର ବିଜ୍ଞପ୍ତିକୁ ଆଜି କେନ୍ଦ୍ର ସରକାର ଜାରି ରଖିଛନ୍ତି । ବେକାରି ଭତ୍ତା ଭାବେ ଶ୍ରମିକମାନଙ୍କୁ ବେତନର ୫୦ ପ୍ରତିଶତ ରାଶି ପ୍ରଦାନ କରାଯିବ । ଏହି ଯୋଜନା ଦ୍ୱାରା ଇଏସ୍ଆଇସିର ସଦସ୍ୟ ଥିବା ପ୍ରାୟ ୪୦ ଲକ୍ଷ ଶ୍ରମିକ ଉପକୃତ ହେବେ ।
ଏହି ଯୋଜନାକୁ ସରକାର ଆକର୍ଷଣୀୟ କରିଛନ୍ତି । ବେକାର ହୋଇପଡ଼ିଥିବା ଶ୍ରମିକମାନଙ୍କୁ ତିନି ମାସ ପର୍ଯ୍ୟନ୍ତ ୫୦ ପ୍ରତିଶତ ବେକାରି ଭତ୍ତା ପ୍ରଦାନ କରାଯିବ । ଯେଉଁ ଶ୍ରମିକମାନେ ଚଳିତ ବର୍ଷ ମାର୍ଚ୍ଚ ୨୪ରୁ ଡିସେମ୍ବର ୩୧ ଭିତରେ ଚାକିରି ହରାଇବେ ସେମାନଙ୍କୁ ଏହି ଭତ୍ତା ଦିଆଯିବ । ଇଏସ୍ଆଇସିର ସଦସ୍ୟ ଥିବା ଯେଉଁ ଶ୍ରମିକମାନେ ଚାକିରି ହରାଇଛନ୍ତି ସେମାନେ ବେକାରି ଭତ୍ତା ପାଇଁ ଆବେଦନ କରିପାରିବେ । ସେମାନଙ୍କୁ ହାରାହାରି ବେତନର ୫୦ ପ୍ରତିଶତ ରାଶି ଭତ୍ତା ଆକାରରେ ଦିଆଯିବ । ପୂର୍ବରୁ ଏହି ସୀମା ୨୫ ପ୍ରତିଶତ ଥିଲା । ଏହି ଯୋଜନାକୁ ଚଳିତ ବର୍ଷ ଜୁଲାଇରୁ ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ମୋଟ ଉପରେ ଏହି ଯୋଜନା ଦ୍ୱାରା ୪୧,୯୪,୧୭୬ ଜଣ ଶ୍ରମିକ ଲାଭବାନ ହେବେ । ଏହାକୁ କାର୍ଯ୍ୟକାରୀ କରିବା ଲାଗି ଇଏସ୍ଆଇସିକୁ ୬୭୧୦.୬୮ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ । ଇଏସ୍ଆଇସି ହେଉଛି ଶ୍ରମ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ସଂସ୍ଥା ଯାହା ମାସିକ ୨୧ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ପାଉଥିବା ଶ୍ରମିକମାନଙ୍କୁ ଇଏସ୍ଆଇ ସ୍କିମ୍ ଅଧୀନରେ ବୀମା ସୁବିଧା ଯୋଗାଇ ଦେଉଛି ।
ଏହି ଯୋଜନାର ଲାଭ ପାଇବାକୁ ହେଲେ ବେକାର ହୋଇଥିବା କର୍ମଚାରୀମାନଙ୍କୁ ଇଏସ୍ଆଇସି ଶାଖାରେ ପହଞ୍ଚି ଆବେଦନ କରିବାକୁ ପଡ଼ିବ । ସବୁ କାଗଜପତ୍ର ଯାଞ୍ଚ କରିବା ପରେ ଆବେଦନକାରୀଙ୍କ ବ୍ୟାଙ୍କ ଖାତାରେ ଭତ୍ତା ବାବଦ ଟଙ୍କା ଜମା କରାଯିବ । ଏଥିପାଇଁ ଆଧାର ନମ୍ବରର ସହାୟତା ନିଆଯିବ । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍ଆଇଇ) ରିପୋର୍ଟ ଅନୁସାରେ ପ୍ରାୟ ୧.୯ କୋଟି ଲୋକ ଚାକିରି ହରାଇଛନ୍ତି । କେବଳ ଜୁଲାଇରେ ୫୦ ଲକ୍ଷ ଲୋକଙ୍କ ଚାକିରି ଚାଲିଯାଇଥିଲା ।