ସତ୍ୟଶିଖା (ଭୁବନେଶ୍ୱର) ୨୬/୧୨/୨୦୨୦ : ବଡ଼ଦିନ ଉପଲକ୍ଷେ ଆଜି ସଂଧ୍ୟାରେ ରାଜଧାନୀ ରାଜରାସ୍ତାରେ ଭୀଷଣ ଟ୍ରାଫିକ୍ ସମସ୍ୟା ଉପୁଜିଥିଲେ ହେଁ ଟ୍ରାଫିକ୍ ପୁଲିସ୍ର ଦେଖା ମିଳି ନଥିଲା । ତେଣୁ ୧୦ ମିନିଟ୍ ଲାଗୁଥିବା ରାସ୍ତା ପାର୍ ହେବାକୁ ଲୋକଙ୍କୁ ଅଧଘଣ୍ଟାଏ ଲାଗି ଯାଇଥିଲା । ରାଜରାସ୍ତାରେ ଦୀର୍ଘ ସମୟ ଧରି କାର୍, ବସ୍ ଫସି ରହିଥିଲା । ଫଳରେ ରାଜଧାନୀବାସୀ ନାହିଁ ନଥିବା ହଇରାଣ ହରକତ ହୋଇଥିଲେ । ଏଥିପାଇଁ ଲୋକେ କମିସନରେଟ୍ ପୁଲିସ୍ର ଟ୍ରାଫିକ୍ ପରିଚାଳନା ଉପରେ ପ୍ରଶ୍ନ ଉଠାଇଛନ୍ତି । ଖାଲି ଆଜି ନୁହେଁ, କିଛି ଦିନ ତଳେ ପ୍ରଥମାଷ୍ଟମୀରେ ବି ରାଜଧାନୀରେ ସମାନ ସମସ୍ୟା ସୃଷ୍ଟି ହୋଇଥିଲା । ବିଶେଷକରି ମାର୍କେଟ୍ ଓ ତତ୍ସଂଲଗ୍ନ ଅଞ୍ଚଳରେ ଲୋକଙ୍କ ଅସମ୍ଭାଳ ଭିଡ଼ ଜମିଥିଲା । କିନ୍ତୁ ସେଥିରୁ ବି କମିସନରେଟ୍ ପୁଲିସ୍ କିଛି ଶିକ୍ଷା ଲାଭ କରିପାରିଲାନି । ଯେଉଁଥିପାଇଁ ଆଜି ପୁଣିଥରେ ଏମିତି ଭିଡ଼ରେ ରାଜଧାନୀବାସୀ ହନ୍ତସନ୍ତ ହେଲେ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି । ଡବଲ୍ ହେଲମେଟ୍, ପ୍ରଦୂଷଣ ସାର୍ଟିଫିକେଟ୍ ସମେତ ଅନ୍ୟାନ୍ୟ ଗାଡ଼ି କାଗଜପତ୍ର ଯାଞ୍ଚ କରିବାକୁ ପୂରା ଜୋରସୋର୍ରେ କମିସନରେଟ୍ ଟ୍ରାଫିକ୍ ପ୍ରସ୍ତୁତି ଚଳାଇଥିବା ବେଳେ ଗହଳିକୁ କିପରି ନିୟନ୍ତ୍ରଣ କରାଯିବ, ସେଥିପ୍ରତି ଧ୍ୟାନ ଦେଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ।
ଅସମ୍ଭାଳ ଭିଡ଼ରେ ଲୋକେ ଅଣନିଶ୍ୱାସୀ, କଟକରୋଡ, ଜନପଥ ସବୁଠି ଜାମ୍
