ରାଜ୍ୟ

ଅସମ୍ଭାଳ ଭିଡ଼ରେ ଲୋକେ ଅଣନିଶ୍ୱାସୀ, କଟକରୋଡ, ଜନପଥ ସବୁଠି ଜାମ୍

ସତ୍ୟଶିଖା (ଭୁବନେଶ୍ୱର) ୨୬/୧୨/୨୦୨୦ : ବଡ଼ଦିନ ଉପଲକ୍ଷେ ଆଜି ସଂଧ୍ୟାରେ ରାଜଧାନୀ ରାଜରାସ୍ତା‌ରେ ଭୀଷଣ ଟ୍ରାଫିକ୍‌ ସମସ୍ୟା ଉପୁଜିଥିଲେ ହେଁ ଟ୍ରାଫିକ୍‌ ପୁଲିସ୍‌ର ଦେଖା ମିଳି ନଥିଲା । ତେଣୁ ୧୦ ମିନିଟ୍‌ ଲାଗୁଥିବା ରାସ୍ତା ପାର୍‌ ହେବାକୁ ଲୋକଙ୍କୁ ଅଧଘଣ୍ଟାଏ ଲାଗି ଯାଇଥିଲା । ରାଜରାସ୍ତାରେ ଦୀର୍ଘ ସମୟ ଧରି କାର୍‌, ବସ୍‌ ଫସି ରହିଥିଲା । ଫଳରେ ରାଜଧାନୀବାସୀ ନାହିଁ ନଥିବା ହଇରାଣ ହରକତ ହୋଇଥିଲେ । ଏଥିପାଇଁ ଲୋକେ କମିସନରେଟ୍‌ ପୁଲିସ୍‌ର ଟ୍ରାଫିକ୍‌ ପରିଚାଳନା‌ ଉପରେ ପ୍ରଶ୍ନ ଉଠାଇଛନ୍ତି । ଖାଲି ଆଜି ନୁହେଁ, କିଛି ଦିନ ତଳେ ପ୍ରଥମାଷ୍ଟମୀରେ ବି ରାଜଧାନୀରେ ସମାନ ସମସ୍ୟା ସୃଷ୍ଟି ହୋଇଥିଲା । ବିଶେଷକରି ମାର୍କେଟ୍‌ ଓ ତତ୍‌ସଂଲଗ୍ନ ଅଞ୍ଚଳରେ ଲୋକଙ୍କ ଅସମ୍ଭାଳ ଭିଡ଼ ଜମିଥିଲା । କିନ୍ତୁ ସେଥିରୁ ବି କମିସନରେଟ୍‌ ପୁଲିସ୍‌ କିଛି ଶିକ୍ଷା ଲାଭ କରିପାରିଲାନି । ଯେଉଁଥିପାଇଁ ଆଜି ପୁଣିଥରେ ଏମିତି ଭିଡ଼‌ରେ ରାଜଧାନୀବାସୀ ହନ୍ତସନ୍ତ ହେଲେ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି । ଡବଲ୍‌ ହେଲମେଟ୍‌, ପ୍ରଦୂଷଣ ସାର୍ଟିଫିକେଟ୍‌ ସମେତ ଅନ୍ୟାନ୍ୟ ଗାଡ଼ି କାଗଜପତ୍ର ଯାଞ୍ଚ କରିବାକୁ ପୂରା ଜୋରସୋର୍‌ରେ କମିସନରେଟ୍‌ ଟ୍ରାଫିକ୍‌ ପ୍ରସ୍ତୁତି ଚଳାଇଥିବା ବେଳେ ଗହଳିକୁ କିପରି ନିୟନ୍ତ୍ରଣ କରାଯିବ, ସେଥିପ୍ରତି ଧ୍ୟାନ ଦେଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ।ସୂଚନା ଅନୁଯାୟୀ, ବଡ଼ଦିନ ଉପଲକ୍ଷେ ବହୁ ସଂଖ୍ୟାରେ ଲୋକେ ଆଜି ବିଭିନ୍ନ ମାର୍କେଟ୍‌, ସପିଂ ମଲ୍‌କୁ କିଣାକିଣି ପାଇଁ ଆସିଥିଲେ । ଫଳରେ ସଂଧ୍ୟା ପ୍ରାୟ ୬ଟାରୁ ହଠାତ୍‌ ରାଜଧାନୀର ପ୍ରମୁଖ ରାସ୍ତାଗୁଡ଼ିକରେ ଗହଳି ବଢ଼ି ଯାଇଥିଲା । କିନ୍ତୁ ଏଥିପାଇଁ କମିସନରେଟ୍‌ ଟ୍ରାଫିକ୍‌ ଆଦୌ ପ୍ରସ୍ତୁତ ନଥିବାରୁ ରସୁଲଗଡ଼, କଳ୍ପନା, ବାଣୀବିହାରଠାରୁ ଆରମ୍ଭ କରି ରାଜମହଲ ଛକରେ ଟ୍ରାଫିକ୍‌ ଜାମ୍‌ ଦେଖା ଦେଇଥିଲା । ସମସ୍ୟା ଏତେ ଉତ୍କଟ ହୋଇଗଲା ଯେ ଗାଡ଼ି ଗଡ଼ିବା ମଧ୍ୟ କଷ୍ଟକର ହୋଇପଡ଼ିଲା । ମାତ୍ର ୧୦ ମିନିଟ୍ ଲାଗୁଥିବା ରାସ୍ତାକୁ ଅଧ ଘଣ୍ଟାଏ ସମୟ ଲାଗି ଯାଇଥିଲା । ଘଣ୍ଟା ଘଣ୍ଟା ଧରି ଜାମ୍ ଲାଗି ରହିଥିଲେ ମଧ୍ୟ ପୁଲିସର ଦେଖା ମିଳି ନ ଥିଲା କିମ୍ବା ଭିଡ଼ ହଟାଇବାକୁ କେହି ଆସି ନ ଥିଲେ ।

Show More
Back to top button