

ସତ୍ୟଶିଖା( ଭୁବନେଶ୍ୱର )୦୨.୦୪.୨୦୨୨ : ଭାଣିଜୀକୁ ଅସଦାଚରଣ ଅଭିଯୋଗରେ ଜଣେ ମାମୁଙ୍କୁୁ ଶୁକ୍ରବାର ଧଉଳି ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ମାମୁ ଜଣକ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଧୀନ ଉମାଗଡ ଗ୍ରାମର ଆଶୀଷ କୁମାର କଅଁର(୨୯) । କୋର୍ଟରେ ତାଙ୍କ ଜାମିନ ଖାରଜ ହୋଇଯିବାରୁ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି ।
ସୂଚନା ଅନୁଯାୟୀ ଉଭୟ ମାମୁ ଏବଂ ତାଙ୍କ ଭାଣିଜୀ ଅବିବାହିତ । ଦୁହେଁ ଗାଁରୁ ଆସି ଘରୋଇ ସଂସ୍ଥାରେ କାର୍ୟ୍ୟ କରିବା ସହ ଧଉଳି ଥାନା ଅଧୀନ ଦିବ୍ୟନଗର ଅଞ୍ଚଳରେ ଘରଭଡ଼ା ନେଇ ରହୁଥିଲେ । ଗତ ୨୫ ତାରିଖରେ ଆଶିଷ ପ୍ରଥମେ ଅସଦାଚରଣ ଉଦ୍ୟମ କରିଥିଲେ । ଭାଣିଜୀ ପ୍ରତିବାଦ କରିଥିଲେ । ପୁନଶ୍ଚ ୩୦ ତାରିଖ ରାତିରେ ମାମୁ ଅସଦାଚରଣ କରିଥିଲେ ବୋଲି ଅଭିଯୋଗ ହୋଇଛି । ଏସଂପର୍କରେ ଭାଣିଜୀ ଗତକାଲି ଧଉଳି ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ଆଧାରରେ ପୁଲିସ ଆଶିଷକୁ ଗିରଫ କରିଥିଲା ।