

ସତ୍ୟଶିଖା( ନୂଆଦିଲ୍ଲୀ )୨୮.୦୨.୨୦୨୨ : ଥମୁନି ୟୁକ୍ରେନ୍ ଓ ରୁଷ ମଧ୍ୟରେ ଯୁଦ୍ଧ । ଆଜି ପଞ୍ଚମ ଦିନରେ ମଧ୍ୟ ୟୁକ୍ରେନ୍ ଓ ରୁଷ ମଧ୍ୟରେ ଲଢ଼େଇ ଜୋରଦାର ଲାଗି ରହିଛି । ଏହି ଯୁଦ୍ଧକୁ ନେଇ ଭାରତ ଉପରେ ପଡ଼ିପାରେ ପ୍ରଭାବ । ଅଶୋଧିତ ତୈଳ ଉପରେ ଏହାର ପ୍ରଭାବ ବିଶେଷ ଦେଖାଯାଇପାରେ । ବର୍ତ୍ତମାନ ଅଶୋଧିତ ତୈଳ ବ୍ୟାରେଲ ପ୍ରତି ୩% ବୃଦ୍ଧି ପାଇ ୧୦୫ ଡଲାରରେ ପହଞ୍ଚିଛି । ଏକ ରିପୋର୍ଟ ଅନୁସାରେ ବଜାରରେ ଅଶୋଧିତ ତୈଳ ସହ କିଛି ଖାଦ୍ୟ ସାମଗ୍ରୀ ଉପରେ ଏହାର ପ୍ରଭାବ ପଡ଼ିବ ।
ଇକୋନମିକ୍ ଟାଇମ୍ସର ରିପୋର୍ଟ ଅନୁସାରେ ଥାଇଲାଣ୍ଡ ଓ ଫିଲିଫାଇନ୍ସ ଅଧିକ ପ୍ରଭାବିତ ହେବେ । ଭାରତ ବି ଏହି କାରଣରୁ ପ୍ରଭାବିତ ହୋଇପାରେ । କାରଣ ତୈଳଦର ଲଗାତର ବଢ଼ୁଥିବା ଦେଖିବାକୁ ମିଳିଲାଣି । ରିପୋର୍ଟରେ ଆହୁରି କୁହାଯାଇଛି ଅଶୋଧିତ ତୈଳ ଦର ବୃଦ୍ଧିି ଯୋଗୁ ଉପଭୋକ୍ତା ଓ ବଜାର ଉପରେ ବେଶ ପ୍ରଭାବ ପଡ଼ିବ । ଅନୁମାନ କରାଯାଉଛି କି ତୈଳ ଦର ୧୦% ବୃଦ୍ଧି ଘଟିବା କାରଣରୁ ଜିଡିପି ୦.୨୦% ବଢ଼ିପାରେ ।
ବଜାରରେ ଦ୍ରବ୍ୟ ମହଙ୍ଗା ହେବା ଦ୍ୱାରା ଗ୍ରାହକଙ୍କ ଉପରେ ଏହାର ପ୍ରଭାବ ସିଧାସଳଖ ପଡ଼ିବ । ଏନେଇ ବ୍ୟାଙ୍କ ଅଫ ବରୋଦାର ମୁଖ୍ୟ ଅର୍ଥଶାସ୍ତ୍ର ମଦନ ସବନୱିସ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଅଶୋଧିତ ତୈଳ ଦର ବୃଦ୍ଧିି ହେତୁ ଲୋକମାନେ ଅସୁବିଧାରରେ ପଡ଼ିବେ । ଲୋକଙ୍କ ରୋଷେଇ ଘର ଓ ବଜେଟ୍ ଉପରେ ଏହାର ପ୍ରଭାବ ପଡ଼ିବ । ସେ ଆହୁରି କହିଛନ୍ତି ରୁଷର ରାଷ୍ଟ୍ରପତି ଭ୍ଲାଦିମିରି ପୁଟିନ ଯଦି ଏପରି ଯୁଦ୍ଧ କରନ୍ତି କିମ୍ବା ଜିିଦ୍ ନଛାଡ଼ନ୍ତି ତେବେ ଭାରତ ଅସୁବିଧାର ସମ୍ମୁଖୀନ ହେବ । ଆରବିଆଇ ଏହି ଘଟଣାକୁ ନେଇ କିଛି ପଦକ୍ଷେପ ନେଇପାରେ ।