ସତ୍ୟଶିଖା (ଭୁବନେଶ୍ୱର) ୦୩.୦୬.୨୦୨୨: ଓଡ଼ିଶାକୁ ପୁଣି ଫେରିଛି ସ୍ୱାଇନ୍ ଫ୍ଲୁ । ପ୍ରାୟ ୨ ବର୍ଷ ପରେ ରାଜ୍ୟକୁ ଫେରିଛି ସ୍ୱାଇନ୍ ଫ୍ଲୁ । ରାଜଧାନୀର ଦୁଇ ଜଣ ବ୍ୟକ୍ତି ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଛି । ରାଜ୍ୟରେ ସ୍ୱାଇନ୍ ଫ୍ଲୁ ଚିହ୍ନଟ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି ଯେ, ‘ରାଜ୍ୟରେ ୨ ଜଣ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ ହୋଇଛନ୍ତି । ଜଣେ ୩୮ ବର୍ଷୀୟ ପୁରୁଷ ହୋଇଥିବା ବେଳେ ଅନ୍ୟ ଜଣେ ୨୮ ବର୍ଷୀୟ ମହିଳା । ଉଭୟେ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି ।’
ଏହା ସହ ଚିହ୍ନଟ ୨ ରୋଗୀଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ । ଲକ୍ଷଣ ଦେଖାଗଲେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ୨୦୧୯ ପରଠାରୁ ରାଜ୍ୟରେ ସ୍ୱାଇନ ଫ୍ଲୁ ରୋଗୀ ଚିହ୍ନଟ ହେଉଛନ୍ତି । ସାଧାରଣତଃ ଭାବେ ପ୍ରାକ ମୌସୁମୀ ଋତୁ ଓ ଶୀତ ଦିନେ ଏହି ରୋଗ ଦେଖାଯାଏ । ଯଦି କୌଣସି ରୋଗୀଙ୍କ ସଂସ୍ପର୍ଶରେ ଆସନ୍ତି ତେବେ ଏହା ବ୍ୟାପିବାର ସମ୍ଭାବନା ରହିଛି । ତେଣୁ ଯଦି କୌଣସି ବ୍ୟକ୍ତି ଠାରେ ଥଣ୍ଡା, କାଶ, ଛିଙ୍କ, ଜ୍ୱର, ଦେହ ହାତ ଘୋଳା ବିନ୍ଧା ଭଳି ଲକ୍ଷଣ ରହୁଛି, ସେମାନେ ଆଇସଲେସନରେ ରୁହନ୍ତୁ । ଫଳରେ ଏଭଳି ଫ୍ଲୁର ସଂକ୍ରମଣକୁ ରୋକାଯାଇପାରିବ ।