ଦୁର୍ଘଟଣାରାଜ୍ୟ

୨ ଅଣ ଓଡିଆ ଯୁବକଙ୍କୁ ମିଛ ବାହାଘର ରେ ଫସାଇ ମଧ୍ୟସ୍ଥି ଫେରିଲେନି

ସତ୍ୟଶିଖା (ବଲାଙ୍ଗୀର) ୨୧/୧୧/୨୦୨୦ : ବାହାଘର ନିଶା ଛାଡିଗଲା, ଲାଗିଗଲା ୭୦ହଜାର ଟଙ୍କାର ଚୂନା । ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶର ଦୁଇ ଯୁବକ ବଲାଙ୍ଗୀର ଆସି ହେଲେ ହଟାହଟା । ବାହା ହେବାକୁ ଝିଅତ ମିଳିଲାନି ଭରଷା ଦେଇଥିବା ମଧ୍ୟସ୍ଥି ଟଙ୍କା ନେଇ ଚମ୍ପଟ । ଆଉ ଓଡିଆ ଝିଅଙ୍କୁ ବାହା ହେବାକୁ ଏତେ ଦୂରରୁ ଆସିଥିବା ଦୁଇ ଯୁବକ ପୋଲିସର ଦ୍ବାରସ୍ଥ ହୋଇଛନ୍ତି । ଏଭଳି ଏକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲାରୁ ।

ଓଡିଶାର ବଲାଙ୍ଗୀରକୁ ଆସ… ମୁଁ ଏଠି ଭଲ ଝିଅ ଦେଖାଇ ତମର ବାହାଘର କରାଇଦେବି… ଏକଥା ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଘଟଣା ସତରେ ଘଟିଛି । କଥାରେ ଫସି ବଲାଙ୍ଗୀର ଆସିଥିବା ମଧ୍ୟପ୍ରଦେଶର ରାଜଧାମ ପାଲ୍ ଏବଂ ଉତ୍ତରପ୍ରଦେଶର କିଶୋରି ପାଲ୍ ଏବେ ଥାନାରେ ନ୍ୟାୟ ପାଇଁ ଗୁହାରି କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ, ବଲାଙ୍ଗୀର ଟାଉନ୍ ଅଞ୍ଚଳର ଦୀପକ ମିଶ୍ର ନାମକ ଜଣେ ବ୍ୟକ୍ତି ସେମାନଙ୍କୁ ଏପରି ଠକିଛି । ଝିଅଙ୍କ ଫଟୋ ଦେଖାଇବା ସହ ଝିଅ ଦେଖା ବି ହୋଇଛି । ତାପରେ ୭୦ ହଜାର ଟଙ୍କା ଧରି ଚମ୍ପଟ ମାରିଛି ମଧ୍ୟସ୍ଥି ଦୀପକ ମିଶ୍ର । ବିଶ୍ବାସ ଜନ୍ମାଇ ଠକିଥିବା ଦୀପକଙ୍କୁ ଏବେ ଆଉ ପାଉନାହାନ୍ତି ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରୁ ଆସିଥିବା ଦୁଇ ଯୁବକ ।

ଉଲ୍ଲେଖଯୋଗ୍ୟ ଯେ, ୪ ମାସ ତଳେ ବିହାରରେ ଏକ ବିବାହ କାର୍ଯ୍ୟକ୍ରମରେ ବଲାଙ୍ଗୀରର ଦୀପକ ମିଶ୍ରଙ୍କ ସହ ଅଭିଯୋଗକାରୀ ଦୁଇ ଯୁବକଙ୍କର ଦେଖାହୋଇଥିଲା । ଓଡିଶା ଝିଅକୁ ବାହା ହେବାକୁ ଇଚ୍ଛୁକ ଥିବା ଦୁଇ ଯୁବକ ଦୀପକକୁ କହିଥିଲେ । ପରେ ଫୋନ୍ ରେ ଯୋଗାଯୋଗ କରି ସେମାନଙ୍କୁ ବଲାଙ୍ଗୀରକୁ ଡକାଇଥିଲା ଦୀପକ ମିଶ୍ର । ୩ ଦିନ ତଳେ ଦୁଇ ଯୁବକ ବଲାଙ୍ଗୀର ଆସିଥିଲେ । ଅଭିଯୁକ୍ତ ଦୀପକ ସେମାନଙ୍କୁ ବିଭିନ୍ନ ଲଜ୍ ରେ ରଖାଇଥିଲା । ପରେ ଝିଅଙ୍କ ଫଟୋ ଦେଖାଇ ପ୍ରଭାବିତ କରିଥିଲା । ଦୁଇ ଯୁବକଙ୍କଠାରୁ ପ୍ରଥମେ ୪୦ ଓ ପରେ ୩୦ ହଜାର ଟଙ୍କା ନେଇଥିଲା ଦୀପକ । କିନ୍ତୁ ବାହାଘର ଫଟୋ ଓ ଝିଅ ଦେଖାରେ ଅଟକିଯାଇଥିଲା । ଦୁଇ ଯୁବକଙ୍କୁ ଏକ ଗାଁକୁ ପଠାଇ ପରେ ଫୋନ୍ ସୁଇଚ୍ ଅଫ୍ କରିଦେଇ ଫେରାର ହୋଇଗଲା ଦୀପକ । ଓଲଟା ଫୋନ୍ କଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା ବୋଲି ଅଭିଯୋଗ କରିଛନ୍ତି ଦୁଇ ଯୁବକ ।

ବଲାଙ୍ଗୀର ଆକ୍ସନ କମିଟି ଆବାହକ ଖବର ପାଇ ଉଭୟଙ୍କପ ଉଦ୍ଧାର କରିବା ସହ ଟାଉନ ଥାନାକୁ ଆଣିଥିଲେ । ଥାନାରେ ଦୁଇ ଯୁବକ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ସେପଟେ ଅଭିଯୁକ୍ତ ଦୀପକ ପୂର୍ବରୁ ମଧ୍ୟ ସେକ୍ସ ରାକେଟରେ ସମ୍ପୃକ୍ତ ଥିବା ଶୁଣାଯାଉଛି । ଏହି ଘଟଣା ପଛରେ ଏକ ବଡ ରାକେଟ୍ କାମ କରୁଥିବା ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି ଆଦର୍ଶ ଥାନା ପୋଲିସ ।

Show More
Back to top button