ସତ୍ୟଶିଖା (ଭୁବନେଶ୍ୱର) ୨୨ /୧୨/୨୦୨୦ : ରାଜଧାନୀରେ ଆଉ ଦୁଇଟି ନୂଆ ଓଭରବ୍ରିଜ ତିଆରି ହେବ । ଭୁବନେଶ୍ୱରରେ କଳିଙ୍ଗ ହସ୍ପିଟାଲ ଛକରୁ ରେଲ୍ବିହାର ଛକ ଯାଏ ପ୍ରଥମ ଫ୍ଲାଏଓଭର ଓ ଡମଣା ଛକରୁ ଚନ୍ଦ୍ରଶେଖରପୁର ଥାନା ଯାଏ ଆଉ ଏକ ଫ୍ଲାଏଓଭର ରହିବ। ଉଭୟ ଫ୍ଲାଏଓଭର ୬ ଲେନ୍ ବିଶିଷ୍ଟ ହେବ ବୋଲି ଜଣାପଡିଛି ।
ଏବେ ଫ୍ଲାଏଓଭର ତିଆରି ନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ପୂର୍ତ୍ତ ବିଭାଗ ପକ୍ଷରୁ ଏ ନେଇ ଡ୍ରାଫ୍ଟ ପ୍ଲାନ୍ ପ୍ରସ୍ତୁତ ହୋଇଛି । ଭୁବନେଶ୍ୱର ଡିଭିଜନ୍-୩ ଏହି ପ୍ଲାନ୍ ପ୍ରସ୍ତୁତ କରି ମୁଖ୍ୟଯନ୍ତ୍ରୀ(ରାସ୍ତା) ପାଖକୁ ପଠାଇଛି । ପ୍ରସ୍ତାବିତ ଯୋଜନା ଅନୁସାରେ, ଜୟଦେବବିହାର ଛକରୁ ନନ୍ଦନକାନନ ରାସ୍ତାରେ ଟ୍ରାଫିକ୍ ଭିଡ଼ ଏଡ଼ାଇବାକୁ ଏହି ଦୁଇ ନୂଆ ଫ୍ଲାଏଓଭର ତିଆରି ହେବ । ପୂର୍ବରୁ ଏହି ରାସ୍ତାରେ ଭିଡ଼ କମାଇବାକୁ ଦୁଇ ପାରାଲାଲ୍ ରୋଡ୍ ବା ସମାନ୍ତରାଳ ରାସ୍ତା ତିଆରି ଯୋଜନା କାର୍ଯ୍ୟକାରୀ ହେଉଛି । ପର୍ଯ୍ୟାୟକ୍ରମେ ଏଥିପାଇଁ ଟେଣ୍ଡର ଆହ୍ୱାନ କରି କାମ ଚାଲିଛି । କିନ୍ତୁ ଜବରଦଖଲ ଓ ଜଙ୍ଗଲ ଜମି କିସମ ପରିବର୍ତ୍ତନରେ ବିଳମ୍ବ ପାଇଁ ପ୍ରସ୍ତାବିତ ପ୍ରକଳ୍ପ ବିଳମ୍ବିତ ହେଉଛି। ଏଥିପାଇଁ ଏହି ରାସ୍ତାରେ ଦୁଇ ଫ୍ଲାଏଓଭର କରିବାକୁ ଅଣ୍ଟା ଭିଡିଛି ପୂର୍ତ୍ତ ବିଭାଗ ।
ଏତତ୍ ବ୍ୟତୀତ, ଡମଣା ଛକ ପାଖରୁ ଆଉ ଏକ ଫ୍ଲାଏଓଭର ତିଆରି ହେବ । ଚନ୍ଦ୍ରଖେଶରପୁର ଥାନା ଛକର କ୍ଲବଟାଉନ୍ ଆପାର୍ଟମେଣ୍ଟ ଯାଏ ଏହା ଲମ୍ବିବ । ଏହି ଦ୍ୱିତୀୟ ଫ୍ଲାଏଓଭରର ଦୂରତା ପ୍ରାୟ ୭୫୦ ମିଟର ପର୍ଯ୍ୟନ୍ତ ରହିବ । ପ୍ରକଳ୍ପରେ ୪୫କୋଟି ଟଙ୍କା ଖର୍ଚ୍ଚ ପାଇଁ ଯୋଜନା ହୋଇଛି । ଉଭୟ ଫ୍ଲାଏଓଭର ତିଆରି ହେଲେ ପିକ୍ ଟାଇମ୍ରେ ନନ୍ଦନକାନନ ରାସ୍ତାରେ ଟ୍ରାଫିକ୍ ସମସ୍ୟା ବହୁମାତ୍ରାରେ କମିଯିବ ବୋଲି ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ସୂଚନା ଦେଇଛନ୍ତି। ତେବେ ଏହି ପ୍ରକଳ୍ପର ଫିଜିବଲିଟି ଅନୁଧ୍ୟାନ ପରେ ପ୍ରକଳ୍ପ ନିର୍ମାଣ ପାଇଁ ଚୂଡ଼ାନ୍ତ ଅନୁମୋଦନ ଦିଆଯିବବୋଲି କହିଛନ୍ତି ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ(ରାସ୍ତା) ମନୋରଞ୍ଜନ ମିଶ୍ର ।