ପଛକୁ ପଛ ଦୁଇଟି ଲଘୁଚାପ ।


ସତ୍ୟଶିଖା ୨୫/୦୯/୨୦୨୫: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ ସକ୍ରିୟ ଥିବାବେଳେ ଆଜି ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଧୀରେ ଧୀରେ ପଶ୍ଚିମ ଆଡକୁ ଗତି କରି ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଆସନ୍ତାକାଲି ନେବ ଅବପାତର ରୂପ । ପ୍ରଭାବରେ ରାଜ୍ୟରେ ଆସନ୍ତା ୪ ଦିନ ପ୍ରବଳ ବର୍ଷା ସମ୍ଭାବନା । ଆସନ୍ତା ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କୋରାପୁଟ, ନବରଙ୍ଗପୁର ଓ ନୂଆପଡ଼ାକୁ ଅରେଞ୍ଜ ଓ ବାକି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ବାରଣ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥର ପାର୍ବଣ ଋତୁ ଭିଜିବ। ଦଶହରାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଯାହାକୁ ନେଇ ରାଜ୍ୟବାସୀ ଦୁଃଖ ପ୍ରକାଶ କରୁଛନ୍ତି।
ସେପଟେ କେନ୍ଦ୍ରୀୟ ମିଆଁମାର ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଜି ଉତ୍ତର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ଏହା ପଶ୍ଚିମଦଗିରେ ଗତି କରିବ । ୨୬ ତାରିଖରେ ଉତ୍ତରପଶ୍ଚିମ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳରେ ଅବପାତର ରୂପ ନେବ। ୨୭ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳକୁ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷିବ।
ସେହିପରି ପ୍ରବଳ ବର୍ଷା ସମ୍ଭାବନା ଥିବା ୭ ଜିଲ୍ଲାକୁ ଦିଆଯାଇଛି ୟେଲୋ ଆଲର୍ଟ। ଆସନ୍ତାକାଲି ପାଇଁ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ମାଲକାନଗିରିକୁ ଦିଆଯାଇଛି ଅରେଞ୍ଜ ୱାର୍ଣ୍ଣିଂ। ସେହିପରି ଆସନ୍ତାକାଲି ପ୍ରବଳ ବର୍ଷା ସମ୍ଭାବନା ପାଇଁ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।