

ସତ୍ୟଶିଖା,(ନୂଆଦିଲ୍ଲୀ) ୧୬.୦୩ .୨୦୨୧ :ଭାରତୀୟ ନିର୍ବାଚନ କମିଶନ ଆଜି ଦେଶର ବିଭିନ୍ନ ରାଜ୍ୟରେ ଖାଲି ପଡ଼ିଥିବା ୧୪ଟି ବିଧାନସଭା ଆସନ ଓ ୨ଟି ଲୋକସଭା ଆସନ ପାଇଁ ଉପ ନିର୍ବାଚନର ତାରିଖ ଘୋଷଣା କରିଛନ୍ତି। ଏଥିରେ ଓଡ଼ିଶାର ପିପିଲି ମଧ୍ୟ ରହିଛି। ଆନ୍ଧ୍ର ପ୍ରଦେଶର ତିରୁପତି ଓ କର୍ଣ୍ଣାଟକାର ବେଲଗମ ଲୋକସଭା ଆସନରେ ଆସନ୍ତା ଏପ୍ରିଲ ୧୭ରେ ଉପନିର୍ବାଚନ ହେବ। ଏହାବାଦ ଗୁଜରାଟର ମୋରଭା ହାଡଫ, ଝାରଖଣ୍ଡର ମଧୁପୁର, କର୍ଣ୍ଣାଟକାର ବସଭକଲ୍ୟାଣ, ମସକି, ମଧ୍ୟପ୍ରଦେଶର ଦାମୋ, ମହାରାଷ୍ଟ୍ରର ପଣ୍ଡହରପୁର, ମିଜୋରାମର ସେରଚିପି, ନାଗାଲ୍ୟାଣ୍ଡର ନୋକସେନ, ଓଡ଼ିଶାର ପିପିଲି, ରାଜସ୍ଥାନର ସାହାରା, ସୁଜନଗଡ଼, ରାଜସମ୍ପଣ୍ଡ, ତେଲେଙ୍ଗାନାର ନାଗାର୍ଜୁନସାଗର ଓ ଉତ୍ତରାଖଣ୍ଡର ସଲ୍ଟ ବିଧାନସଭା ଉପ ନିର୍ବାଚନ ପାଇଁ ୧୭ ତାରିଖରେ ଭୋଟ ଗ୍ରହଣ ହେବ।
ଏଥିପାଇଁ ଆସନ୍ତା ୨୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲର ଶେଷ ତାରିଖ ୩୦ ମାର୍ଚ୍ଚ ରହିଥିବା ବେଳେ ଏପ୍ରିଲ ୩ ତାରିଖ ଯାଏ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇ ପାରିବ। ଆସନ୍ତା ମେ’ ୨ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ମେ’ ୨ରେ ମଧ୍ୟ ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ରେଜଲ୍ଟ ପ୍ରକାଶ କରାଯିବ ବୋଲି ନିର୍ବାଚନ କମିଶନ କହିଛନ୍ତି। ଅନ୍ୟପକ୍ଷରେ ନିର୍ବାଚନ ତାରିଖ ଆଜି ଘୋଷଣା ହୋଇଥିବାରୁ ସବୁ ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଚରଣବିଧି ଲାଗୁ ହୋଇଛି।