ସତ୍ୟଶିଖା(ନୂଆଦିଲ୍ଲୀ ) ୨୬.୦୫.୨୦୨୧: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ସମେତ ଅନ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ ସିବିଏସଇ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ପ୍ରାୟ ୩୦୦ ଛାତ୍ରଛାତ୍ରୀ ପ୍ରଧାନ ବିଚାରପତି ଏନଭି ରମନ୍ନାଙ୍କ ସମେତ ଅନ୍ୟ ବିଚାରପତିଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ସିବିଏସଇ ଦ୍ୱାଦଶ ପରୀକ୍ଷା କେନ୍ଦ୍ର ବା ଅଫଲାଇନରେ ନକରିବାକୁ ସେମାନେ ଚିଠିରେ ଉଲ୍ଲେଖ କରିଛନ୍ତି ।
ଚିଠିରେ ଉଲ୍ଲେଖ ଅଛି ଯେ,ଦେଶରେ କରୋନା ସ୍ଥିତି ଜଟିଳ ରହିଛି । ଅନେକ ଛାତ୍ରଛାତ୍ରୀ ସେମାନଙ୍କ ପରିବାର ଲୋକ ଓ ମାତାପିତାଙ୍କୁ ହରାଇଛନ୍ତି । ପରିସ୍ଥିତି ଘର ଭିତରେ ରହିବାକୁ ବାଧ୍ୟ କରୁଛି । ଦେଶରେ ଲକ୍ଷାଧିକ ଛାତ୍ରଛାତ୍ରୀ କରୋନାର ଦ୍ୱିତୀୟ ଲହର ମଧ୍ୟ ଭାଗରେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାକୁ ନେଇ ଭୟ ଓ ଆଶଙ୍କାରେ ରହିଛନ୍ତି । ଏପରି ସ୍ଥିତିରେ ପରୀକ୍ଷା କରାଗଲେ ପରୀକ୍ଷା କେନ୍ଦ୍ର ହିଁ କୋଭିଡ୍ ହଟସ୍ପଟ୍ ପାଲଟିବାର ସମ୍ଭାବନା ରହିଛି । ଯଦି ଛାତ୍ରଛାତ୍ରୀମାନେ କରୋନା ସଂକ୍ରମିତ ହୁଅନ୍ତି ତେବେ ସରକାର ଓ ସିବିଏସଇ ଦାୟୀ ରହିବେ ବୋଲି ଚିଠିରେ ଉଲ୍ଲେଖ ରହିଛି ।
ଏପରି ଜଟିଳ ସ୍ଥିତିରେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର ସମ୍ଭାବ୍ୟ ଆୟୋଜନକୁ ଛାତ୍ରଛାତ୍ରୀମାନେ ନିନ୍ଦା କରିଛନ୍ତି ।ଏହାସହ ଅନଲାଇନ୍ ପରୀକ୍ଷା ଓ ଅନ୍ୟ ବିକଳ୍ପ ପ୍ରକ୍ରିୟାରେ ମୂଲ୍ୟାୟନ କରିବାକୁ ସେମାନେ ପ୍ରସ୍ତୁତ ଥିବା କହିଛନ୍ତି ।
ସୂଚନାଯୋଗ୍ୟ, ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ । ଏଥିରେ ସମସ୍ତ ବୋର୍ଡ ପରୀକ୍ଷା ବାବଦରେ ଚର୍ଚ୍ଚା ହୋଇଥିଲା ।କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲ ମଧ୍ୟ ସମସ୍ତ ରାଜ୍ୟକୁ ପରୀକ୍ଷା ଆୟୋଜନ ନେଇ ମତାମତ ଓ ପରାମର୍ଶ ମାଗିଛନ୍ତି ।