ପ୍ରେମରେ ବାଧା ଦେବାରୁ ଗୁଣ୍ଡା ହୋଇଗଲେ ଟ୍ୟୁସନ ସାର୍‌, ପ୍ରେମିକା ଛାତ୍ରୀଙ୍କ ଭାଇକୁ ନିସ୍ତୁକ ପିଟିଲେ l

ସତ୍ୟଶିଖା (ଚନ୍ଦ୍ରଶେଖରପୁର) ୧୦.୧୦.୨୦୨୦ : କୁହାଯାଏ ପ୍ରେମ ଅନ୍ଧ । ପ୍ରେମ ବନ୍ଧ ବାଡ଼ କିଛି ମାନେନା । ଆଉ ପ୍ରେମ ପାଇଁ ପ୍ରେମୀ ଯୁଗଳ କିଛି ବି କରିପାରନ୍ତି । ଏମିତି ଜଣେ ଛାତ୍ରୀଙ୍କ ସହ ଟ୍ୟୁସନ ଶିକ୍ଷକଙ୍କର ରସିକିଆ ପ୍ରେମ କଥା ଦାଣ୍ଡରେ ପଡି ହାଟରେ ଗଡିଲାଣି । ଏହାକୁ ବିରୋଧ କରିବାରୁ ଛାତ୍ରୀଙ୍କ ଭାଇକୁ ମାଡ଼ ମାରି ରକ୍ତାକ୍ତ କରିଛନ୍ତି ସମ୍ପୃକ୍ତ ଶିକ୍ଷକ । ଏଭଳି ଘଟଣା ଦେଖିବାକୁ ମିଳିଛି ଇନଫୋସିଟି ଥାନା ଶିଖରଚଣ୍ଡୀ ଅଞ୍ଚଳରେ । ଏନେଇ ଛାତ୍ରୀଙ୍କ ଭାଇ ଶିକ୍ଷକଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ମିଳିବା ପରେ ପୋଲିସ ପକ୍ଷରୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଛି ।

ଅଭିଯୋଗ ଅନୁଯାୟୀ, ଯୁକ୍ତ ଦୁଇରେ ପାଠ ପଢୁଥିବା ଜୈନିକ ଛାତ୍ରୀ ୨୦୧୯ ସେପ୍ଟେମ୍ବରରେ ସେହି ଅଞ୍ଚଳରେ କୋଚିଂ ଦେଉଥିବା ଶିକ୍ଷକ ଏମ୍‌ ଭେଙ୍କେଟେସଙ୍କ ପାଖକୁ ଯାଉଥିଲେ। ପଢିବା ସମୟରେ ଶିକ୍ଷକ ଜଣଙ୍କ ରାଗିଣୀଙ୍କୁ ଭଲ ପାଇ ବସିଲେ, ପରେ ଶିକ୍ଷକଙ୍କ ପ୍ରେମରେ ମଧ୍ୟ ଛାତ୍ରୀ ଜଣକ ପଡି ଯାଇଥିଲେ । ବିଳମ୍ବିତ ରାତି ଯାଏଁ ଦୁହିଁଙ୍କ ମଧ୍ୟରେ ଚାଟିଂ ଚାଲୁଥିଲା । ଏ ବିଷୟରେ ଛାତ୍ରୀଙ୍କ ପରିବାର ଲୋକ ଜାଣିବା ପରେ ଉଭୟଙ୍କୁ ତାଗିଦ୍‌ କରିଥିଲେ। ସେମାନେ ଏ କଥାକୁ ବୁଝି କିଛି ଦିନ କଥା ବାର୍ତ୍ତା ବନ୍ଦ କରି ଦେଇଥିଲେ। ହେଲେ କିଛି ଦିନ ହେବ ପୁଣି ଦୁଇ ଜଣଙ୍କ ମଧ୍ୟରେ କଥାବାର୍ତ୍ତା ହେଉଥିବାର ପରିବାର ଲୋକ ଜାଣିବାକୁ ପାଇଥିଲେ । ଫୋନ୍‌ ଯୋଗେ ଏ ଘଟଣାକୁ ସମାଧାନ କରିବାକୁ ଚାହିଁଥିଲେ ପରିବାର ଲୋକ । କିନ୍ତୁ ତାହା ସମାଧାନ ହୋଇପାରିନଥିଲା ।

ଗତକାଲି ଛାତ୍ରୀଙ୍କ ମାଉସୀ, ମାଇଁ ଏବଂ ଭାଇ ଶିକ୍ଷକଙ୍କ ଘରକୁ ସମାଧାନ ପାଇଁ ଯାଇଥିଲେ । ସମାଧାନ ତ ହେବା ଦୂରର କଥା ଛାତ୍ରୀଙ୍କ ଭାଇଙ୍କୁ ଶିକ୍ଷକ ଓ ତାଙ୍କ ମା’ ନିସ୍ତୁକ ମାଡ ମାରିଥିଲେ । ଏ ଘଟଣା ଦେଖି ଛାତ୍ରୀଙ୍କ ମାଉସୀ ପୋଲିସକୁ ଫୋନ୍‌ କରି ଜଣାଇଥିଲେ । ପୁଲିସ ପହଞ୍ଚି ଆହତ ଯୁବକଙ୍କୁ ହସ୍ପିଟାଲକୁ ପଠାଇଥିଲେ । ଛାତ୍ରୀଙ୍କ ଭାଇ ଇନଫୋସିଟି ଥାନାରେ ଏନେଇ ଅଭିଯୋଗ କରିଥିଲେ । ପ୍ରଥମେ ପୁଲିସ ସହଯୋଗ କରୁନଥିଲା । ଏସିପିଙ୍କୁ ଅବଗତ କରାଇବା ପରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ ।

Exit mobile version