ସତ୍ୟଶିକ୍ଷା (ନ୍ୟୁୟର୍କ) ୨୪.୦୯.୨୦୨୦ : ଆସନ୍ତା ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଯଦି ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରାସ୍ତ ହୁଅନ୍ତି ତେବେ ସେ ଶାନ୍ତିପୂର୍ଣ୍ଣ ଭାବେ ଶାସନ ଗାଦି ଅନ୍ୟକୁ ଦେବା ପାଇଁ ମନା କରିଦେଇଛନ୍ତି । ଭବିଷ୍ୟତରେ କଣ ହେବ ତାକୁ ଅପେକ୍ଷା କରିବା ଉଚିତ ବୋଲି ହ୍ୱାଇଟ୍ ହାଉସ ପକ୍ଷରୁ ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି ।
ଟ୍ରମ୍ପ କହିଛନ୍ତି ଯେ, ତାଙ୍କୁ ଲାଗୁଛି ଯେ ଆମେରିକା ନିର୍ବାଚନର ଫଳାଫଳ ସୁପ୍ରିମକୋର୍ଟ ଯାଏଁ ପହଁଚିବ । ପୋଷ୍ଟାଲ ଭୋଟିଂକୁ ନେଇ ତାଙ୍କର ସନ୍ଦେହ ରହିଛି । କାରଣ କରୋନା ଭାଇରସ ପାଇଁ ଆମେରିକାର ଅନେକ ରାଜ୍ୟର ଲୋକେ ମେଲ୍ ଓ ପୋଷ୍ଟାଲ ଭୋଟିଂ ଜରିଆରେ ମତଦାନ କରିବେ ।
ଆମେରିକା ନିର୍ବାଚନକୁ ଆଉ ୪୧ ଦିନ ବାକି ରହିଛି । ବିଭିନ୍ନ ଓପିନିୟନ ପୋଲରେ ଟ୍ରମ୍ପ ଡେମୋକ୍ରାଟିକ୍ ଦଳର ଜୋ ବାଇଡନଙ୍କଠୁ ପଛରେ ଥିବା ସୂଚନା ମିଳୁଛି । କରୋନା ଭାଇରସ ମହାମାରୀ ଓ ବେରୋଜଗାର ପାଇଁ ଟ୍ରମ୍ପଙ୍କ ଛବି ଖରାପ ହୋଇଛି । ଆମେରିକା କରୋନା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଦେଶ । ଏଠାରେ ହିଁ ସବୁଠାରୁ ଅଧିକ ମୃତ୍ୟୁ ହୋଇଛି । ତେବେ ଟ୍ରମ୍ପ ଆରମ୍ଭରୁ କରୋନାକୁ ସାଧାରଣ କଥା କହୁଥିଲେ । ଫଳରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା ।