
ସତ୍ୟଶିଖା ୧୮/୦୭/୨୦୨୫: ହ୍ୱାଇଟ୍ ହାଉସ୍ ସଚିବ କାରୋଲିନ୍ ଲେଭିଟ୍ କହିଛନ୍ତି ଯେ ୭୯ ବର୍ଷୀୟ ଡୋନାଲ୍ଡ ଟ୍ରମ୍ପଙ୍କୁ “କ୍ରୋନିକ୍ ଭେନସ୍ ଇନସଫିସିଅନ୍ସି” (CVI) ନାମକ ଏକ ରୋଗ ଚିହ୍ନଟ ହୋଇଛି। ଏହା ଏକ ସାଧାରଣ କିନ୍ତୁ ଦୀର୍ଘ ସମୟ ଧରି ରକ୍ତନଳୀରେ ସମସ୍ୟା ସୃଷ୍ଟି କରେ। ବିଶେଷକରି ବୟସ୍କ ଲୋକଙ୍କ ମଧ୍ୟରେ ଏହା ଦେଖାଯାଏ। ଏହି ରୋଗରେ, ଗୋଡର ଶିରାଗୁଡ଼ିକ ହୃତପିଣ୍ଡକୁ ଭଲ ଭାବରେ ରକ୍ତ ସଂଚାଳନ କରିପାରେନାହିଁ। ଫଳରେ ଗୋଡରେ ରକ୍ତ ଜମା ହୋଇଯାଏ। ଫୁଲା, ଚର୍ମରେ ପରିବର୍ତ୍ତନ, ଯନ୍ତ୍ରଣା ଏବଂ ଏପରିକି ଅଲସର ମଧ୍ୟ ହୋଇପାରେ।
ଟ୍ରମ୍ପ ଡାକ୍ତର ସିଆନ ବାର୍ବାବେଲାଙ୍କ ତତ୍ତ୍ୱାବଧାନରେ ଏକ ବ୍ଲଡ୍ ଟେଷ୍ଟ କରାଯାଇଥିଲା। ଯେଉଁଥିରେ “ଭେନ୍ ଡପ୍ଲର ଅଲ୍ଟ୍ରାସାଉଣ୍ଡ” ଏବଂ ଅନ୍ୟାନ୍ୟ ପରୀକ୍ଷା ଅନ୍ତର୍ଭୁକ୍ତ ଥିଲା। ଏହି ରିପୋର୍ଟଗୁଡ଼ିକରେ “ଡିପ୍ ଭେନ୍ ଥ୍ରୋମ୍ବୋସିସ୍” (DVT) କିମ୍ବା “ଧମନୀ ରୋଗ” ଭଳି କୌଣସି ଗୁରୁତର ଲକ୍ଷଣ ମିଳିନଥିଲା। ଏହା ବ୍ୟତୀତ ତାଙ୍କ ରକ୍ତ ପରୀକ୍ଷା CBC, CMP ଏବଂ ଇକୋକାର୍ଡିଓଗ୍ରାମର ରେଜଲ୍ଟ ମଧ୍ୟ ସ୍ୱାଭାବିକ ଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଟ୍ରମ୍ପଙ୍କ ହାର୍ଟ ସମ୍ପୂର୍ଣ୍ଣ ସ୍ୱାଭାବିକ। ତାଙ୍କର କୌଣସି ହୃଦଘାତର ସମସ୍ୟା ନଥିବା ହ୍ୱାଇଟ୍ ହାଉସ୍ ଦାବି କରିଛି।