ସତ୍ୟଶିଖା (ଭୁବନେଶ୍ୱର) ୧୦.୧୦.୨୦୨୦ : ଜାତୀୟସ୍ତରରେ ଟିଆର୍ପି (ଟେଲିଭିଜନ ରେଟିଂ ପଏଣ୍ଟ) ସ୍କାମ୍କୁ ନେଇ ହଟଚମଟ ସୃଷ୍ଟି ହୋଇଛି । ଟଙ୍କା ଦେଇ ଟିଆର୍ପି କିଣାଯାଉଛି । ଏଭଳି ଅଭିଯୋଗ ଉଠିବା ପରେ ବାର୍କ ରେଟିଂର ବିଶ୍ୱସନୀୟତାକୁ ନେଇ ବିରାଟ ପ୍ରଶ୍ନବାଚୀ ଛିଡ଼ା ହେଲାଣି । ଓଡ଼ିଶାରେ ମଧ୍ୟ ଅନୁରୂପ ଭାବେ ଟିଆର୍ପି ଟ୍ୟାମ୍ପରିଂ ହେଉଥିବା ଜଣାପଡ଼ିଛି ।
ବାର୍କ (ବ୍ରଡ୍କାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ୍) ନାମକ ଏକ ସ୍ୱାଧୀନ ତଥା ଘରୋଇ ସଂସ୍ଥା ଏହି ଟିଆର୍ପି ମାପିଥାଏ । ଏହା ନମୁନା ଭାବେ ଅଳ୍ପ କିଛି ଦର୍ଶକଙ୍କ ଘରେ ଏକ ପିପୁଲ ମିଟର ଲଗାଇଛି ।
ଟିଆର୍ପି ମାପିବାକୁ ଲାଗିଥିବା ପିପୁଲ ମିଟର ସହ ଇଣ୍ଟରନେଟ୍ ବି ସଂଯୋଗ ହୋଇଥାଏ । ପିପୁଲ ମିଟର ଲାଗିଥିବା ଦର୍ଶକଙ୍କୁ ଏକ ସ୍ୱତନ୍ତ୍ର ରିମୋଟ୍ ଦିଆଯାଇଥାଏ । ଦର୍ଶକଙ୍କ ଘରର ପ୍ରତି ସଦସ୍ୟଙ୍କ ପାଇଁ ଏହି ରିମୋଟ୍ରେ ଭିନ୍ନ ଭିନ୍ନ ବଟନ୍ ଥାଏ । ପରିବାରର କେଉଁ ସଦସ୍ୟ ନିଜ ପସନ୍ଦ ମୁତାବକ କେଉଁ ଚ୍ୟାନେଲ୍ ବା କେଉଁ ସୋ’ ଦେଖୁଛନ୍ତି ତାହା ସେମାନେ ଦବାଉଥିବା ବଟନ୍ରୁ ଜଣାପଡ଼ିଥାଏ । ବାର୍କ ଏହାକୁ ରେକର୍ଡ କରିବା ସହ ପ୍ରତି ଗୁରୁବାର ଚ୍ୟାନେଲ୍ମାନଙ୍କର ର୍ୟାଙ୍କିଙ୍ଗ୍ ତାଲିକା ପ୍ରକାଶ କରିଥାଏ । ସାରା ଦେଶରେ ମାତ୍ର ୪୪ ହଜାର ଲୋକଙ୍କ ଘରେ ଏହି ପିପୁଲ ମିଟର ଲାଗିଛି ।
ଓଡ଼ିଶାର ଟିଆର୍ପି ଖେଳ ପଛରେ ନିର୍ଦ୍ଦିଷ୍ଟ କିଛି ଚ୍ୟାନେଲ୍ ଓ କେବଲ ଅପରେଟର୍ସ ଅଛନ୍ତି । ଓଡ଼ିଶାରେ ଦୁଇଟି କେବଲ ଅପରେଟର୍ସଙ୍କ ନିଜସ୍ୱ ବ୍ରଡ୍କାଷ୍ଟିଂ (ପ୍ରସାରଣ) ସହ ଡିଷ୍ଟ୍ରିବ୍ୟୁସନ୍ (ବିତରଣ) ମାଧ୍ୟମ ରହିଛି । ସବୁଠୁ ଅଧିକ ଟିଆର୍ପି ବୋଲି ଦାବି କରୁଥିବା ଏକ ଚ୍ୟାନେ୍ଲ ମାଲିକାନାରେ ଏକ କେବଲ୍ ଟେଲିଭିଜନ୍ ସଂସ୍ଥା ମଧ୍ୟ ରହିଛି ।