ଦେଶନ୍ୟୁଜ୍ରାଜ୍ୟ

ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ସତ୍ୟଶିଖା (ନୂଆଦିଲ୍ଲୀ) ୩୦/୦୧/୨୦୨୧ : ଆଜି ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏବଂ ଅନ୍ୟ ମନ୍ତ୍ରୀମାନେ ଦିଲ୍ଲୀର ରାଜଘାଟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

‘ସହିଦ ଦିବସ’ ଭାବେ ନାମିତ ଆଜି ଗାନ୍ଧୀଜୀଙ୍କ ୭୩ତମ ଶ୍ରାଦ୍ଧ ବାର୍ଷିକୀରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲେଖିଛନ୍ତି: ଆଜି ସହିଦ ହୋଇଥିବା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତି କୃତଜ୍ଞ ଦେଶ ତରଫରୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି। ଶାନ୍ତି, ଅହିଂସା, ନିରାଡ଼ମ୍ବରତା, ପବିତ୍ରତାର ମାର୍ଗ ଏବଂ ନମ୍ରତା ଆଦି ତାଙ୍କର ଆଦର୍ଶଗୁଡ଼ିକୁ ଅନୁସରଣ କରିବା ଉଚିତ ।ତାଙ୍କ ଆଦର୍ଶ ନିୟୁତ ନିୟୁତ ଲୋକଙ୍କୁ ପ୍ରେରଣା ଦେବ ବୋଲି ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନପୂର୍ବକ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ କରିଛନ୍ତି। ସେ ଲେଖିଛନ୍ତି, ପୁଣ୍ୟ ତିଥିରେ ମହାନ୍‌ ବାପୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି। ତାଙ୍କର ଆଦର୍ଶ ନିୟୁତ ନିୟୁତ ଜନତାଙ୍କୁ ପ୍ରଭାବିତ କରିବ। ଭାରତର ସ୍ୱାଧୀନତା ଏବଂ ପ୍ରତି ଭାରତୀୟଙ୍କ ମଙ୍ଗଳ ନିମନ୍ତେ ନିମଜ୍ଜିତ ହୋଇ ବିରୋଚିତ ଆତ୍ମତ୍ୟାଗ କରିଥିବା ସମସ୍ତ ମହାନ୍‌ ନାରୀ ଓ ପୁରୁଷମାନଙ୍କୁ ସହିଦ ଦିବସରେ ଆମେ ସ୍ମରଣ କରୁଛୁ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଓ ସମାଜବାଦୀ ନେତା ଅଖିଳେଶ ଯାଦବ ଏବଂ ଆହୁରି ଅନେକ ମନ୍ତ୍ରୀ ଓ ନେତାମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଟୁଇଟ୍‌ କରିଛନ୍ତି।

Show More
Back to top button