ଶସ୍ତା ସୁନାରେ ବି ଲୋକଙ୍କୁ ଠକିପାରିବେନି ବ୍ୟବସାୟୀ ।

ସତ୍ୟଶିଖା ୧୯/୦୭/୨୦୨୫:  ବର୍ଦ୍ଧିତ ଦରକୁ ଆଖି ଆଗରେ ରଖି ଲୋକେ ଏବେ ୯ କ୍ୟାରେଟ୍‌ ସୁନା ପ୍ରତି ଆଗ୍ରହ ଦେଖାଉଛନ୍ତି । ୨୨ କ୍ୟାରେଟ୍‌ ଏବଂ ୧୮ କ୍ୟାରେଟ୍‌ ତୁଳନାରେ ଏହା ଅତି ମାତ୍ରାରେ ଶସ୍ତା ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ ଅଧୀନରେ ଆସୁଥିବା ଭାରତୀୟ ମାନକ ବ୍ୟୁରୋ(ବିଆଇଏସ୍‌) ୯ କ୍ୟାରେଟ୍‌ ସୁନାର ବି ହଲ୍‌ମାର୍କିଂକୁ ବାଧ୍ୟତାମୂଳକ କରିଛି । ଏଥିସହିତ ବର୍ତ୍ତମାନ ବାଧ୍ୟତାମୂଳକ ହଲ୍‌ମାର୍କିଂ ତାଲିକା ବୃଦ୍ଧି ପାଇଛି ।ଏଥିରେ ୨୪ କେଏଫ୍‌, ୨୪ କେଏସ୍‌, ୨୩କେ, ୨୨କେ, ୨୦କେ, ୧୮କେ, ୧୪ କେ ଏବଂ ବର୍ତ୍ତମାନ ୯କେ ଅନ୍ତର୍ଭୁକ୍ତ ହୋଇଛି । ୯ କ୍ୟାରେଟ୍‌ ସୁନାରେ ପ୍ରତି ହଜାର ସୁନାରେ ଅନ୍ୟୁନ ୩୭୫ ଭାଗ ସୁନା ରହିବା ଦରକାର । ଏହାର ଅର୍ଥ ୯କେ ସୁନା ୩୭.୫% ଶୁଦ୍ଧ । ବିଆଇଏସ୍‌ ଅଧିନିୟମ ଅନୁସାରେ ସମସ୍ତ ଗହଣା ବ୍ୟବସାୟୀ ଏବଂ ହଲ୍‌ମାର୍କିଂ ସେଣ୍ଟର୍‌ଗୁଡ଼ିକୁ ଏହି ନିୟମର ଅନୁପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ସର୍ବଭାରତୀୟ ରତ୍ନପଥର ଏବଂ ଗହଣା ପରିଷଦ ପକ୍ଷରୁ ଏ ସୂଚନା ଦିଆଯାଇଛି । କାଉନ୍‌ସିଲ୍‌ କହିଛି ଯେ, ୯ କ୍ୟାରେଟ୍‌ ସୁନା(୩୭୫ ପିପିଟି) ଏବେ ବିଆଇଏସ୍‌ ସଂଶୋଧନ ସଂଖ୍ୟା ୨ ଅନୁସାରେ ଅନିବାର୍ଯ୍ୟ ହଲ୍‌ମାର୍କିଂ ଅନ୍ତର୍ଗତ ଆସୁଛି ।

ସମସ୍ତ ଗହଣା ବ୍ୟବସାୟୀ ଏବଂହଲ୍‌ମାର୍କିଂ ସେଣ୍ଟରଗୁଡ଼ିକୁ ଏହାର ପାଳନ କରିବାକୁ ପଡ଼ିବ । ଏହି ନିଷ୍ପତ୍ତିକୁ ସ୍ୱାଗତ କରି ସେନ୍‌କୋ ଗୋଲ୍‌ଡ ଲିମିଟେଡ୍‌ର ଏମ୍‌ଡି ତଥା ସିଇଓ ଶୁଭଙ୍କର ସେନ୍‌ କହିଛନ୍ତି ଯେ, ସରକାରଙ୍କ ଦ୍ୱାରା ୯ କ୍ୟାରେଟ୍‌ ସୁନାର ହଲ୍‌ମାର୍କିଂ ଏକ ଭଲ ନିଷ୍ପତ୍ତି ।ଏ ନିଷ୍ପତ୍ତି ଦ୍ୱାରା ହୀରା ଏବଂ ସୁନା ଗହଣା ଅଧିକ ସୁଲଭ ହେବ ଏବଂ ଗ୍ରାହକଙ୍କ ପାଇଁ ଉଚ୍ଚ ସୁନା ଦର ମଧ୍ୟରେ ଗହଣା କିଣିବା ସୁବିଧାଜନକ ହେବ । ହଲ୍‌ମାର୍କିଂର ଅର୍ଥ ହେଉଛି ସୁନାର ଶୁଦ୍ଧତା ଗ୍ୟାରେଣ୍ଟି । ବିଆଇଏସ୍‌ ନିୟମ ଅନୁସାରେ, ସୁନା ଗହଣା ଏବଂ କଳାକୃତ୍ତି ଉପରେ ଏକ ଚିହ୍ନ ଲଗାଯାଇଥାଏ । ଏଥିରୁ ଜଣାପଡ଼େ ଯେ ସୁନା କେତେ ଶୁଦ୍ଧ । ବିଆଇଏସ୍‌ ଏହାର କେତେକ ନିୟମରେ ପରିବର୍ତ୍ତନ ମଧ୍ୟ କରିଛି । ଏବେ ସୁନା ଘଣ୍ଟା ଏବଂ ପେନ୍‌କୁ କଳାକୃତ୍ତିର ପରିଭାଷାରୁ ବାହାର କରିଦିଆଯାଇପାରେ । ଏହାର ଅର୍ଥ ହେଉଛି ଏବେ ଏହା ଉପରେ ହଲ୍‌ମାର୍କିଂ ଅନିବାର୍ଯ୍ୟ ହେବ ନାହିଁ ।

Exit mobile version