
ସତ୍ୟଶିଖା (ଭୁବନେଶ୍ୱର) ୧୫/୦୧/୨୦୨୧ : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟାଟା ପାୱାର ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ଦ୍ୱାରା ଜଗନ୍ନାଥ ଧାମ ପୁରୀରେ କେବଳ ମହିଳାଙ୍କ ଦ୍ୱାରା ପରିଚାଳିତ ଦ୍ୱିତୀୟ ଗ୍ରାହକ ସେବା କେନ୍ଦ୍ର (କଷ୍ଟମର କେୟାର୍ ସେଂଟର) ଉଦ୍ଘାଟିତ ହୋଇଯାଇଛି । ଏହି କେନ୍ଦ୍ରକୁ ପୁରୀର ଉପ ଜିଲ୍ଲାପାଳ ଶ୍ରୀମତୀ ଇତିଶ୍ରୀ ନାୟକ ଉଦ୍ଘାଟନ କରିଛନ୍ତି । ଉଦ୍ଘାଟନ ଉତ୍ସବରେ ଟିପିସିଓଡିଏଲ୍ର ବରିଷ୍ଠ ପରିଚାଳନା ଅଧିକାରୀ ଓ ମହିଳା କର୍ମଚାରୀମାନେ ଉପସ୍ଥିତ ଥିଲେ ।ମହିଳାମାନେ କିପରି ଅର୍ଥନୈତିକ ସ୍ୱାଧୀନତା ପାଇବେ ସେଦିଗରେ ଟିପିସିଓଡିଏଲ୍ କାର୍ଯ୍ୟ କରୁଛି । ସେଥିପାଇଁ କମ୍ପାନୀ ଅଭିବୃଦ୍ଧି ଓ ବିକାଶର ନୂତନ ଉପାୟ ଅବଲମ୍ବନ କରୁଛି । ଏହି ପ୍ରତିଶ୍ରୁତି ପାଳନ ପାଇଁ କଂପାନି ପକ୍ଷରୁ ପୁରୀରେ କେବଳ ମହିଳାଙ୍କ ଦ୍ୱାରା ପରିଚାଳିତ ଦ୍ୱିତୀୟ ଗ୍ରାହକ ସେବା କେନ୍ଦ୍ର ଉଦ୍ଘାଟନ କରାଯାଇଛି । ଏହି କେନ୍ଦ୍ରକୁ କେବଳ ମହିଳା କର୍ମଚାରୀମାନେ ପରିଚାଳନା କରିବେ । ଏଥିପାଇଁ ସେମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ନୂତନ ବିଦ୍ୟୁତ ସଂଯୋଗ ପାଇଁ ଆବେଦନ, ବିଲ୍ ପେମେଣ୍ଟ୍, ଉପଭୋକ୍ତାଙ୍କ ଅଭିଯୋଗ ଶୁଣି ଏହାର ସମାଧାନ ନିମନ୍ତେ ଏହି କର୍ମଚାରୀମାନେ ପ୍ରଶିକ୍ଷଣପ୍ରାପ୍ତ । ଉତ୍କୃଷ୍ଟ ଶ୍ରେଣୀର ଗ୍ରାହକ ସେବାରେ ମହିଳାମାନେ ଶକ୍ତିଶାଳୀ ଭୂମିକା ଗ୍ରହଣ କରିବେ ।