ଧଉଳି ପାଖରେ ଥିଲା ତୋଷାଳିଗଡ଼


ସତ୍ୟଶିଖା ୨୩/୦୧/୨୦୨୧ : ଓଡ଼ିଶାର ରାଜଧାନୀ ଭୁବନେଶ୍ୱର । ପୂର୍ବରୁ ଏଠାରେ ରାଜା ରାଜୁଡ଼ା ଶାସନ ସହିତ ଅନେକ ନଗ୍ର ଓ ଗଡ଼ ରହିଥିଲା । ସେହି ପୁରାତନ ତଥ୍ୟ ଅନୁଯାୟୀ ଇତିହାସ ପ୍ରସିଦ୍ଧ ଧଉଳି ପାହାଡ଼ ନିକଟରେ ତୋଷାଳି ଗଡ଼ ବା ନଗ୍ର ସ୍ଥାପିତ ହୋଇଥିଲା ।
ଦୟାନଦୀ ବିଧୌତ ସମତଳ ଅଞ୍ଚଳରେ କେବେ ତୋଷାଳି ନଗ୍ର ସ୍ଥାପିତ ହୋଇଥିଲା ସେ ସମ୍ପର୍କରେ କୌଣସି ତଥ୍ୟ ପ୍ରମାଣ ମିଳେ ନାହିଁ । ତେବେ ଜୈନ ଧର୍ମାବଲମ୍ବୀଙ୍କ କିମ୍ବଦନ୍ତୀ ସୂତ୍ର ଅନୁଯାୟୀ ଜୈନମାନଙ୍କ ଶେଷ ତୀର୍ଥଙ୍କର ମହାବୀର ଜୈନଧର୍ମର ଟିକାକାର ହରିଭଦ୍ରଙ୍କ ଆବଶ୍ୟକ ସୂତ୍ର ଉପରେ ହରିଭଦ୍ରୀୟ ବୃତ୍ତି ନାମକ ଏକ ଟିକା ରଚନା କରି ସେଥିରେ ଉଲ୍ଲେଖ କରିଛନ୍ତି ।
କଳିଙ୍ଗାଧିପତି ଓ ମହାବୀରଙ୍କ ପିତା ବନ୍ଧୁ ହୋଇଥିବାରୁ ମହାବୀର କଳିଙ୍ଗକୁ ଜୈନଧର୍ମ ପ୍ରଚାର କରିବାକୁ ଆସିଥିଲେ । ଏହି ସମୟରେ କଳିଙ୍ଗର ରାଜଧାନୀ ତୋଷାଳି ନଗ୍ରରେ ସ୍ଥାପିତ ହୋଇଥିଲା । ଧଉଳି ପାହାଡ଼ରେ ଖୋଦିତ କଳିଙ୍ଗାନୁଶାସନ ଦ୍ୱୟରେ ସର୍ବପ୍ରଥମେ ତୋଷାଳିର ଉଲ୍ଲେଖ ଦେଖିବାକୁ ମିଳେ । ସେଥିରୁ ଜଣାଯାଏ ଯେ ମୌର୍ୟ୍ୟ ସମ୍ରାଟ ଦେବପ୍ରିୟ ପ୍ରିିୟଦର୍ଶୀ ଅଶୋକ କଳିଙ୍ଗ ବିଜୟ ପରେ ପ୍ରାୟ ୨୮ ବର୍ଷ ଏହି ରାଜ୍ୟକୁ ତୋଷାଳି ନଗରୀରୁ ଶାସନ କରିଥିଲେ ।