ସତ୍ୟଶିଖା (ଭୁବନେଶ୍ୱର) ୨୨/୦୧/୨୦୨୧ : କଳା ଓ ସଂସ୍କୃତିର ଭୂମି ଓଡ଼ିଶା । କୋଣାର୍କ ପରି ବିସ୍ମୟ ସୃଷ୍ଟି କରିପାରୁଥିବା ଓଡ଼ିଆ କାରିଗରଙ୍କ ଦକ୍ଷତାର କୌଣସି ତୁଳନା ନାହିଁ । ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ହସ୍ତତନ୍ତ ମନ୍ତ୍ରଣାଳୟ ସହଭାଗିତାରେ ଆଜିଠାରୁ ଆରମ୍ଭ ହୋଇଥିବା ‘ପଞ୍ଚଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା’କୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏପରି କହିଛନ୍ତି । ଜନତା ମଇଦାନରେ ଆରମ୍ଭ ହୋଇଥିବା ଏହି ମେଳାକୁ ଭର୍ଚୁଆଲ୍ରେ ଉଦ୍ଘାଟନ କରି ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ପୂର୍ବ ଭାରତର ସବୁଠାରୁ ବୃହତ୍ ଏହି ମେଳା ଏକ ଅସାଧାରଣ ପରିସ୍ଥିତିରେ ଅନୁଷ୍ଠିତ ହେଉଛି । ତେଣୁ ସମସ୍ତଙ୍କୁ କୋଭିଡ୍ ଗାଇଡ୍ଲାଇନ୍ କଡ଼ାକଡ଼ି ପାଳନ କରିବାକୁ ସେ ପରାମର୍ଶ ଦେଇଥିଲେ । ଉଦ୍ଘାଟନୀ ଉତ୍ସବରେ ବିଭାଗୀୟ ମନ୍ତ୍ରୀ ପଦ୍ମିନୀ ଦିଆନ୍ ମେଳାରେ ଅଂଶୀଦାର ହୋଇଥିବା କାରିଗରଙ୍କୁ ଉତ୍ସାହିତ କରିବା ସହିତ କରୋନା ନିୟମାବଳି ଅନୁଯାୟୀ ମେଳାକୁ ସଫଳ କରିବା ପାଇଁ ନିବେଦନ କରିଥିଲେ ।
ମେଳାରେ ୨୫୦ଟି ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର ଷ୍ଟଲ୍ ଖୋଲାଯାଇଛି । ରାଜ୍ୟରୁ ପ୍ରାୟ ୧୭୦ ଜଣ ହସ୍ତଶିଳ୍ପୀ ଓ ବୁଣାକାରମାନେ ଏଥିରେ ଭାଗ ନେଇଥିବା ବେଳେ ରାଜ୍ୟ ବାହାରୁ ୮୦ ଜଣ କାରିଗର ଯୋଗ ଦେଇଛନ୍ତି । କରୋନାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା ଅନୁଯାୟୀ ଦର୍ଶକଙ୍କ ଥର୍ମାଲ୍ ସ୍କ୍ରିନିଂ ଓ ହାତ ସାନିଟାଇଜ୍ କରାଯିବା ପରେ ଭିତରକୁ ପ୍ରବେଶ କରାଯାଉଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦିବ୍ୟାଙ୍ଗମାନଙ୍କ ପାଇଁ ମେଳାରେ ଅନୁକୂଳ ବାତାବରଣ ସୃଷ୍ଟି କରାଯାଇଛି । ଜାତୀୟ ସ୍ତରର ବୁଣାକାର ଓ ହସ୍ତଶିଳ୍ପ କାରିଗରମାନଙ୍କ ସାମଗ୍ରୀକୁ ନେଇ ବଜାର ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ହେଉଥିବା ଏହି ମେଳା ପ୍ରତିଦିନ ଅପରାହ୍ଣ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସୂଚନା ଦିଆଯାଇଛି ।