ସତ୍ୟଶିଖା(ନୂଆଦିଲ୍ଲୀ ) ୨୪.୦୧.୨୦୨୨ : କରୋନା ଭୂତାଣୁର ସଂକ୍ରମଣ ହାର ଦର୍ଶାଉଥିବା କୋଭିଡ୍ର ଆର୍-ଭାଲ୍ୟୁ ଚଳିତ ମାସ ୧୪ରୁ ୨୧ ତାରିଖ ମଧ୍ୟରେ ଶେଷ ହୋଇଥିବା ସପ୍ତାହରେ ୧.୫୭କୁ ଖସି ଆସିଥିଲେ ମଧ୍ୟ ଆଗାମୀ ୧୪ ଦିନ ମଧ୍ୟରେ କରୋନାର ତୃତୀୟ ଲହର ଶୀର୍ଷରେ ପହଞ୍ଚିବା ସମ୍ଭାବନା ରହିଛି। ଆଇଆଇଟି ମାଡ୍ରାସ୍ ପକ୍ଷରୁ କରାଯାଇଥିବା ଏକ ବିଶ୍ଳେଷଣର ପ୍ରାରମ୍ଭିକ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। କରୋନାର ଆର୍-ଭାଲ୍ୟୁ ୧ ତଳକୁ ଖସିଲେ ଏହି ମହାମାରୀର ପ୍ରକୋପ ସମାପ୍ତ ହେବାକୁ ବସିଲାଣି ବୋଲି ଧରି ନିଆଯିବ। ତେବେ ଆଇଆଇଟି ମାଡ୍ରାସ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଚଳିତ ମାସ ୧୪ ତାରିଖରୁ ୨୧ ତାରିଖ ମଧ୍ୟରେ କରୋନାର ଆର୍-ଭାଲ୍ୟୁ ୧.୫୭କୁ ଖସି ଆସିଛି। ଚଳିତ ମାସ ୭ରୁ ୧୩ ତାରିଖ ମଧ୍ୟରେ ଶେଷ ହୋଇଥିବା ସପ୍ତାହରେ ଏହି ଆର୍-ଭାଲ୍ୟୁ ୨.୨ ଥିବା ବେଳେ ୧ରୁ ୬ ତାରିଖ ମଧ୍ୟରେ କରୋନାର ଆର୍-ଭାଲ୍ୟୁ ୪ ଏବଂ ଡିସେମ୍ବର ୨୫ରୁ ୩୧ ମଧ୍ୟରେ ଏହା ୨.୯ ରହିଥିଲା। ଏହି ପ୍ରାରମ୍ଭିକ ବିଶ୍ଲେଷଣ ଆଇଆଇଟି ମାଡ୍ରାସର ପ୍ରଫେସର ନିଲେଶ ଏସ୍ ଉପାଧ୍ୟାୟ ଏବଂ ପ୍ରଫେସର ଏସ୍ ସୁନ୍ଦରଙ୍କ ନେତୃତ୍ବରେ କରାଯାଇଥିଲା। ଏହି ପ୍ରସଙ୍ଗରେ ଅଧିକ ସୂଚନା ଦେଇ ଆଇଆଇଟି ମାଡ୍ରାସର ଗଣିତ ବିଭାଗର ସହଯୋଗୀ ପ୍ରଫେସର ଡ. ଜୟନ୍ତ ଝା କହିଛନ୍ତି ଯେ ମୁମ୍ବଇ ଓ କଲକାତାର ଆର୍-ଭାଲ୍ୟୁ ଦର୍ଶାଉଛି ଯେ ସେଠାରେ ମହାମାରୀ କରୋନା ସଂକ୍ରମଣର ଶୀର୍ଷ ସମୟ ସମାପ୍ତ ହୋଇଯାଇଛି ଏବଂ କରୋନା ସଂକ୍ରମଣ ଏବେ କମିବାକୁ ଲାଗିଲାଣି। ତେବେ ଦିଲ୍ଲୀ ଓ ଚେନ୍ନଇରେ କରୋନାର ଆର୍-ଭାଲ୍ୟୁ ୧ ପଏଣ୍ଟ ନିକଟରେ ରହିଛି ବୋଲି ସେ କହିଛନ୍ତି।
୧୪ ଦିନରେ ଶୀର୍ଷ ଛୁଇଁବ ସଂକ୍ରମଣ: ଆଇଆଇଟି ମାଡ୍ରାସ
