ରାଜ୍ୟ

ଯୋଗାଣ ଠିକାଦାର ନିଲମ୍ବିତ , ଡିଲର ଉପରେ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

ସତ୍ୟଶିଖା (ଭଦ୍ରକ) ୨୫/୧୧/୨୦୨୦ : ଖବର ପରେ ଆକ୍ସନ । ଯୋଗାଣ ଠିକାଦାର ନିଲମ୍ବିତ , ଡିଲର ଉପରେ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା । ବେଆଇନ ପିଡିଏସ ଚାଉଳ ଚାଲାଣ ଓ ହିତାଧିକାରୀଙ୍କୁ ବଣ୍ଟନରେ ଅବହେଳା ଘଟଣାର ଖବର ପ୍ରସାରିତ ପରେ ଆକ୍ସନରେ ଜିଲ୍ଲା ଯୋଗାଣ ବିଭାଗ । ଠିକାଦାରଙ୍କୁ ନିଲମ୍ବିତ ସହ କାରଣ ଦର୍ଶାଅ ନୋଟିସ କରାଯାଇଛି । ଆଉ ଏବେ ଡିଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା ରହିଛି  ।

ସୂଚନାଯୋଗ୍ୟ ଯେ,  ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ତେଶିଙ୍ଗା ପଞ୍ଚାୟତର କୁଳନା ବଜାର ଠାରେ ୧୯ ତାରିଖ ଦିନ ବେଆଇନ ପିଡିଏସ ଚାଉଳ ବୋଝେଇ ଟ୍ରକ କୁ ଅଟକ ରଖିଥିଲେ । ସହକାରୀ ଯୋଗାଣ ଅଧିକାରୀ ପହଞ୍ଚି ଯାଞ୍ଚ ପରେ ବେଆଇନ ଚାଳନ ହେଉଥିବା ନେଇ ଭଣ୍ଡାରୀପୋଖରୀ ଥାନାରେ ଲିଖିତ ଏତଲା ଦିଆଯାଇଥିଲା । ପୋଲିସ ଚାଉଳ ସହ ଟ୍ରକକୁ ଜବତ କରିଥିଲା । ସ୍ଥାନୀୟ ହିତାଧିକାରୀ ମାନେ ଠିକ ଭାବେ ଚାଉଳ , ଗହମ ଓ ଅନ୍ୟାନ୍ୟ ସାମଗ୍ରୀ ପାଉନଥିବା ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ଅତିରିକ୍ତ ଓ ସହକାରୀ ଯୋଗାଣ ଅଧିକାରୀ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ବେଳେ ସ୍ଥାନୀୟ ଲୋକେ ଉଭୟଙ୍କୁ ଅଟକ ରଖିଥିଲେ ।ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଯୋଗାଣ ବିଭାଗ । ଜିଲ୍ଲାର ଭଣ୍ଡାରୀପୋଖରୀ ସହ ୪ଟି ବ୍ଲକ ପାଇଁ ନିଯୁକ୍ତ ଯୋଗାଣ ସାମଗ୍ରୀ ଠିକାଦାର ପୂର୍ଣଚନ୍ଦ୍ର ମହାପାତ୍ରଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ନିଲମ୍ବନ କରାଯାଇଛି ବୋଲି ସୂଚନା ମିଳିଛି । ଏହାସହିତ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଛି ଯୋଗାଣ ବିଭାଗ । ତେବେ ସମ୍ପୃକ୍ତ ଡିଲରଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଉପଜିଲ୍ଲାପାଳଙ୍କୁ ସୁପାରିସ ହୋଇଥିବା ସୂଚନା ମିଳିଛି । ସେପଟେ ଉପଜିଲ୍ଲାପାଳ ପୀତାମ୍ବର ସାମ କହିଛନ୍ତି ଯେ, ତାଙ୍କ ନିକଟକୁ ତଦନ୍ତ ରିପୋର୍ଟ ଆସିନାହିଁ । ରିପୋର୍ଟ ଆସିଲେ ଡିଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । .

Show More
Back to top button