ସତ୍ୟଶିଖା (ନୂଆଦିଲ୍ଲୀ) ୦୧/୦୨/୨୦୨୧ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଏଇ ଦଶନ୍ଧିର ପ୍ରଥମ ବଜେଟ୍ ଆଗତ କରିବେ । କେନ୍ଦ୍ର ସରକାରଙ୍କ ୨୦୨୧-୨୨ ବର୍ଷର ସାଧାରଣ ବଜେଟ୍ ସହ ରେଳ ବଜେଟ୍ ପୂର୍ବାହ୍ଣ ୧୧ରେ ସଂସଦରେ ଉପସ୍ଥାପନ କରିବେ । କରୋନା ପ୍ରଭାବିତ ଦେଶବାସୀଙ୍କୁ ଆର୍ଥିକ ଆଶ୍ୱସ୍ତି ପ୍ରଦାନ ଓ ବିପର୍ଯ୍ୟସ୍ତ ଅର୍ଥନୀତିରେ ସୁଧାର ଆଣିବା ନିମନ୍ତେ ବଜେଟ୍ରେ ଆବଶ୍ୟକ ବ୍ୟବସ୍ଥା କରାଯାଇଥିବା ନେଇ ଆଶା ପ୍ରକାଶ କରାଯାଇଛି । ବିଶେଷ କରି ନୂଆ ନିଯୁକ୍ତି ସୃଷ୍ଟି, ଗ୍ରାମୀଣ ବିକାଶ, ଟିକଟଦାତାଙ୍କ ହାତକୁ ଅଧିକ ଅର୍ଥ ପ୍ରଦାନ ଉପରେ ସରକାର ଗୁରୁତ୍ୱ ଦେବେ ବୋଲି ଆଶା କରାଯାଇଛି । ଜାନୁଆରୀ ୨୯ରୁ ଆରମ୍ଭ ହୋଇଥିବା ସଂସଦର ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯାଇଥିଲା ।
ଏଥର ବଜେଟ୍ରେ କାହା ପାଇଁ କ’ଣ ରହିବ ସେ ନେଇ ଉତ୍କଣ୍ଠା ବଢ଼ୁଛି । ବଜେଟ୍ ସାଧାରଣ ଲୋକଙ୍କ ପକେଟ୍ ଉପରେ ଭାରି ପଡ଼ିବ କି ସେମାନଙ୍କୁ ଉଷାସ ମିଳିବ ତା ଉପରେ ସମସ୍ତଙ୍କ ନଜର ରହିଛି ।
କରୋନା ମହାମାରୀରେ ସାରା ବିଶ୍ୱର ଅର୍ଥନୀତି ଦୋହଲି ଯାଇଥିବା ବେଳେ ଭାରତ ଏଦିଗରେ ନିଜକୁ ସମ୍ଭାଳିବାକୁ ଚେଷ୍ଟା କରୁଛି । ଏଥର ବଜେଟ୍କୁ ନେଇ ସାଧାରଣ ଲୋକଙ୍କ ଭିତରେ ଅନେକ ଆଶା ଓ ଉପରେ ଭରସା ରହିଛି । ବିଶେଷ ଭାବେ ଚାଷୀଙ୍କୁ ସହାୟତା, ବ୍ୟବସାୟୀକୁ ନୂତନ ମାର୍ଗଦର୍ଶନ ସହ ଆଶ୍ୱସ୍ତି ପ୍ରଦାନ, ଛାତ୍ରଛାତ୍ରୀଙ୍କୁ ପାଠପଢ଼ାରେ ସହାୟତା ଭଳି ବିଭିନ୍ନ ଦିଗ ଉପରେ କେନ୍ଦ୍ର ସରକାର ଧ୍ୟାନ ଦେଇ ବଜେଟ୍ରେ ଅନୁକୂଳ ବ୍ୟବସ୍ଥା କରିପାରନ୍ତି ।
ଟ୍ୟାକ୍ସ ସ୍ଲାବ୍ରେ ଏଥର କୌଣସି ପରିବର୍ତ୍ତନ ହୋଇ ନ ପାରେ । ଏଥର କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ଲାଗି ସର୍ବବୃହତ୍ ବ୍ୟାପକ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାରୁ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯିବା ସମ୍ଭାବନା ରହିଛି । ଚଳିତ ବଜେଟ୍ ଅର୍ଥମନ୍ତ୍ରୀ ନିର୍ମଳାଙ୍କ ପାଇଁ ଏକ ଆହ୍ବାନପୂର୍ଣ୍ଣ ବଜେଟ୍ ହେବ। ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନଠୁ ଆରମ୍ଭ କରି ସାଧାରଣ ଜନତା ବଜେଟ୍କୁ ନେଇ ଅନେକ ଆଶା ରଖୁଛନ୍ତି । ଛାତ୍ରଛାତ୍ରୀଙ୍କ ଆଶା ହେଉଛି ଏଥରର ବଜେଟ୍ ନିଯୁକ୍ତି ଭିତ୍ତିକ ବା ଆୟଭିତ୍ତିକ ହେବା ଦରକାର । କାରଣ ବେକାରୀ ସମସ୍ୟାର ମୁକାବିଲା ଲାଗି ପାଠପଢା ପରେ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ଏଥର ବଜେଟ୍ ନିଯୁକ୍ତି ଭିତ୍ତିକ କରାଯିବା ଉପରେ ଯୁବଗୋଷ୍ଠୀ ଆଶା ରଖିଛନ୍ତି । ଏହାବ୍ୟତୀତ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ନିୟନ୍ତ୍ରଣ ଓ ଦର ସ୍ଥିରତା ଲାଗି ଗୃହିଣୀ ମହଲରୁ ଦାବି ହେଉଛି ।
ଏଥର ମଧ୍ୟ ସାଧାରଣ ବଜେଟ୍ ସହିତ ରେଳ ବଜେଟ୍ ଏକତ୍ର ମିଶି ଆସୁଥିବାରୁ ନୂତନ ରେଳଲାଇନ୍, ଦୋହରୀକରଣ, ପୁରୁଣା କାର୍ଯ୍ୟର ଅଗ୍ରଗତି, ୱାଗନ୍ ଓ ରେଳ ମରାମତି କାରଖାନା, ନୂତନ ଟ୍ରେନ୍ ପ୍ରଚଳନ କ୍ଷେତ୍ରରେ ଅଧିକ ବ୍ୟୟବରାଦ କରାଯାଇପାରେ ବୋଲି ଆଶା କରାଯାଉଛି । ହାଇସ୍ପିଡ୍ ଟ୍ରେନ୍ ଆରମ୍ଭ ହୋଇଥିବାବେଳେ ବୁଲେଟ୍ ଟ୍ରେନ୍ ଏବଂ ବିଭିନ୍ନ ସହରରେ ମେଟ୍ରୋ ଓ ମନୋରେଲ୍ ନେଇ କିଛି ନୂତନ ପ୍ରସ୍ତାବ ଲାଗି ଏଥର ରେଳ ବଜେଟ୍ରେ ଅର୍ଥ ବରାଦ କରାଯାଇପାରେ ବୋଲି ଆଶା କରାଯାଉଛି । ତେବେ ନିର୍ମଳାଙ୍କ ବଜେଟ୍ ପେଡି ଆସନ୍ତାକାଲି ଖୋଲିବା ପରେ ସବୁ ସ୍ପଷ୍ଟ ହେବ । ସେ ପର୍ଯ୍ୟନ୍ତ ଦେଶର ସବୁ ବର୍ଗଙ୍କ ଭିତରେ ଏକପ୍ରକାର ଉତ୍କଣ୍ଠା ବଢିଛି ।