ଧର୍ମ

ଆଜି ତିନି ରଥର ଦକ୍ଷିଣ ମୋଡ କରାଯିବ ।

ସତ୍ୟଶିଖା :୦୨/୦୭/୨୦୨୫:ମହାପ୍ରଭୁଙ୍କର ସକାଳ ଧୂପ ସରିବା ପରେ ଘଣ୍ଟ ଘଣ୍ଟା, କାହାଳୀ, ଛତ୍ରୀ ସହ ପଟୁଆରରେ ତିନି ବାଡରୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଧରି ତିନି ରଥ ନିକଟକୁ ଆସିବା ପରେ ରଥଟଣା ଅର୍ଥାତ୍ ଦକ୍ଷିଣ ମୋଡ ଆରମ୍ଭ ହେବ। ପ୍ରଥମେ ଦର୍ପଦଳନ, ପରେ ତାଳଧ୍ଵଜ ଏବଂ ଶେଷ ରେ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ କରାଯିବ। ସୂଚନା ଥାଉକି, ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ଘୋଷଯାତ୍ରାରେ ଯାଇ ଗୁଣ୍ଡିଚାମନ୍ଦିର ଜନ୍ମବେଦିରେ ବିଜେ ହୋଇଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ବଡ଼ଦେଉଳରେ ଧର୍ମପତ୍ନୀଙ୍କୁ ଛାଡ଼ି  ଆସିଛନ୍ତି ଠାକୁରେ । ଏଣୁ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ ମଙ୍ଗଳବାର ହେରାପଞ୍ଚମୀରେ ଗୁଣ୍ଡିଚା ମନ୍ଦିରରେ ବିଜେ ହୋଇ ଠାକୁରଙ୍କ ଖବର ନେଇଛନ୍ତି । ସେବକ ଓ ଦାସୀଙ୍କ ଗହଣରେ ବିଳମ୍ବିତ ରାତିରେ ମହାଲକ୍ଷ୍ମୀ  ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ  ପହଞ୍ଚି ନନ୍ଦିଘୋଷ ରଥକୁ ଭାଙ୍ଗିଲେ । ରଥରେ ଲାଗିଥିବା ହଂସପଟାର ଏକ  ଅଂଶକୁ ସେବକଙ୍କ ଦ୍ୱାରା ଭଙ୍ଗା ଗଲା । ପରେ ମହାପ୍ରଭୁଙ୍କ ଆଜ୍ଞମାଳ ପାଇ  ହେରାଗୌରୀ ସାହି ଦେଇ ଶ୍ରୀମନ୍ଦିରକୁ  ଫେରିଥିଲେ ମା’ଲକ୍ଷ୍ମୀ ସାଆନ୍ତାଣି ।

ଭଣ୍ଡାର ଘରେ ବିଜେ ହୋଇଥିବା  ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ସ୍ୱତନ୍ତ୍ର  ମାଜଣା ଓ ବନକଲାଗି କରାଯାଇ  ନୂତନ ପାଟବସ୍ତ୍ର ଓ ସ୍ୱର୍ଣ୍ଣାଳଙ୍କାରରେ ସୁଶୋଭିତ କରାଯାଇଥିଲା । ସେବକ  ଓ ଭକ୍ତଙ୍କ ଗହଣରେ ଶ୍ରୀମନ୍ଦିରରୁ  ବାହାରି ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ଘରେ ବିଜେ ହୋଇଥିଲେ । ଗୁଣ୍ଡିଚା ଘର ସମ୍ମୁଖରେ ପହଞ୍ଚିବାରେ ଠାକୁରାଣୀଙ୍କୁ ପ୍ରସାଦ ଲାଗି, ବନ୍ଦାପନା, ଚାମର ଓ  ଆଲଟ ସେବା ଅର୍ପଣ କରାଯାଇଥିଲା । ଘଷା, ବିଡ଼ିଆ, ଦହିପଟି ମଣୋହି  କରାଯାଇଥିଲା । ଇତି ମଧ୍ୟରେ  ଆଡ଼ପ ମଣ୍ଡପରେ ସନ୍ଧ୍ୟାଧୂପ ନୀତି  ହେଉଥାଏ । ରଥ ନିକଟରୁ ମା’ଲକ୍ଷ୍ମୀ  ଶ୍ରୀଗୁଣ୍ଡିଚା ମନ୍ଦିର ଜଗମୋହନର  ଜୟବିଜୟ ଦ୍ୱାରଠାରେ ପହଞ୍ଚିଥିଲେ । ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳ ମହାଲକ୍ଷ୍ମୀଙ୍କୁ ଲାଗି କରିଥିଲେ । ଏହାପରେ ବିଧି ମୁତାବକ  ମହାପ୍ରଭୁଙ୍କ ଦ୍ୱାର ବନ୍ଦ ହୋଇଥିଲା । ନୀତି ସାରି ଠାକୁରାଣୀ ରାଗ ତମତମ ହୋଇ ଶ୍ରୀଗୁଣ୍ଡିଚା ଘର ନାକଚଣା  ଦ୍ୱାର ଦେଇ ବାହାରିବା ସମୟରେ  ଠାକୁରାଣୀଙ୍କୁ ଦହିପଟି ମଣୋହି ଓ  ବନ୍ଦାପନା କରାଯାଇଥିଲା । ତେବେ ରାତିକୁ ଗୁଣ୍ଡିଚା ଘରେ ମହାପ୍ରଭୁଙ୍କ ନୀତିରେ ସାମାନ୍ୟ ସୁଧାର ଆସିଥିଲା।

Show More
Back to top button