ସତ୍ୟଶିଖା (ନୂଆଦିଲ୍ଲୀ) ୨୬/୧୧/୨୦୨୦ : ପୁଡୁଚେରୀ ନିକଟରେ ସ୍ଥଳଭାଗ ଛୁଇଁଛି ବାତ୍ୟା ନିଭାର। ସ୍ଥଳଭାଗ ଛୁଇଁବା ପୂର୍ବରୁ ଦୁର୍ବଳ ହୋଇଯାଇଥିଲା ନିଭାର୍ । ଗତକାଲି ରାତି ସାଢେ ୧୧ଟାରୁ ରାତି ୨ଟା ୩୦ ମଧ୍ୟରେ ପୁଡୁଚେରୀ ନିକଟରେ ସ୍ଥଳଭାଗ ଛୁଇଁଛି ନିଭାର । ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ଥିଲା । ସର୍ବାଧିକ ୧୨୦ କିଲୋମିଟର ପର୍ଯ୍ୟନ୍ତ ଯାଇଥିଲା ପବନର ବେଗ । ଏହା ଦୁର୍ବଳ ହୋଇ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି ।
ଗୁରୁବାର ଭୋର ସୁଦ୍ଧା ପୁଡୁଚେରୀରେ ପବନର ବେଗ ୬୫ରୁ ୭୫ କିଲୋମିଟର ବେଗକୁ ଖସିଆସିଥିଲା । ଏହାର ପ୍ରଭାବରେ ତାମିଲନାଡୁ ଓ ପୁଡୁଚେରୀର ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଲମ୍ବିତ ରାତି ଯୋଗୁଁ ପ୍ରଭାବିତ ଅଞ୍ଚଳର ସଂପୂର୍ଣ୍ଣ ଚିତ୍ର ଆସିପାରିନାହିଁ । କିନ୍ତୁ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଜୀବନଯାତ୍ରା ଠପ୍ ହୋଇଯାଇଛି । ପୁଡୁଚେରୀ ଉପରାଜ୍ୟପାଳ କିରଣ ବେଦୀ ବାତ୍ୟା ସଂପର୍କରେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ପରିସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି ସେ ବୁଧବାର ରାତିରେ ଟ୍ବିଟ୍ କରିଥିଲେ ।